ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଡୁବୁରୀ/କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ନାବାଳିକାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ. ୧୬୩/୧୯) ରୁଜୁକରି ତଦନ୍ତ ଚଳାଇଥିଲା। ଏହି ମାମଲାରେ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଏହି ଥାନା ଅନ୍ତର୍ଗତ ଶଗହଗୁଳା ଗ୍ରାମର ରବୀନ୍ଦ୍ର ମହାନ୍ତ (୨୧)। ଗୁରୁବାର ଉଭୟଙ୍କ ଡାକ୍ତରୀ ମଇନା କରାଯିବ ବୋଲି କଳିଙ୍ଗନଗର ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟନାୟକ କହିଛନ୍ତି। ପ୍ରକାଶ ଯେ, ଥାନା ଅଞ୍ଚଳର ଉକ୍ତ ନାବାଳିକା ଛାତ୍ରୀ ଜଣଙ୍କ ଗତ ୨୦ ତାରିଖରେ ସ୍ଥାନୀୟ ଅଞ୍ଚଳରେ ଥିବା ଖେଳ ପଡିଆକୁ ଫୁଟବଲ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ରବୀନ୍ଦ୍ର ତାଙ୍କୁ ଅପହରଣ କରି ନେଇ ନିକଟସ୍ଥ ଜଙ୍ଗଲରେ ବଳାତ୍କାର କରିଥିଲେ। ପରେ ପୀଡିତା ଛାତ୍ରୀଙ୍କୁ ଜୋରଜବରଦସ୍ତ ମାନପୁର ଅଞ୍ଚଳକୁ ନେଇ ଯାଇଥିଲେ। କିନ୍ତୁ ୨୧ ତାରିଖରେ ପୀଡିତାଙ୍କୁ ଆଣି ଡୁବୁରୀ ଛକରେ ଛାଡିଦେଇ ଚାଲିଯାଇଥିଲେ। ଏହାପରେ ପୀଡିତା ଜଣଙ୍କ ରବୀନ୍ଦ୍ରଙ୍କ ଘରକୁ ଯାଇ ସେଠାରେ ବସିରହିଥିଲେ। ଖବର ପାଇ ପରିବାର ଲୋକେ ଏବଂ ଗ୍ରାମବାସୀ ସେଠାରେ ପହଞ୍ଚତ୍ ପୀଡିତାଙ୍କୁ ଆଣିଥିଲେ। ଘଟଣାକୁ ନେଇ ଉଭୟ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ ହୋଇଥିଲା। ହେଲେ ପୀଡିତା ନାବାଳିକା ହୋଇଥିବାରୁ ପରିବାର ଲୋକେ ବିବାହ ପାଇଁ ରାଜି ହୋଇ ନ ଥିଲେ। ଏଥିରେ ବିବାଦ ଦେଖାଦେବାରୁ ମଙ୍ଗଳବାର ରାତିରେ ପୀଡିତାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ।

Share