ନାବାଳିକା ଝିଆରୀକୁ ବଳାତ୍କାର: ଥାନାରେ ଅଭିଯୋଗ, ଅଭିଯୁକ୍ତ ମଉସା ଗିରଫ, ସହଯୋଗ କରିବା ଅଭିଯୋଗରେ ମାଉସୀ ବି ଗିରଫ

ରାଉରକେଲା ଅଫିସ, ୪।୧୨: ତମାମ ଦେଶରେ ବଳାତ୍କାରକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ବୁଧବାର ରାଉରକେଲାରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ପ୍ଲାଣ୍ଟସାଇଟ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ନାବାଳିକା ଝିଆରୀ (୧୬)ଙ୍କୁ ବଳାତ୍କାର କରିଛନ୍ତି। ଥରେ କି ଦୁଇ ଥର ନୁହେଁ, ସଂପୃକ୍ତ ବ୍ୟକ୍ତି ଗତ କିଛି ଦିନ ହେବ ସେହି ନାବାଳିକାଙ୍କୁ ଭୟଭୀତ କରି ବଳାତ୍କାର କରି ଆସୁଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି କାମରେ ସ୍ବାମୀଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ବି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାଙ୍କ ପୈତୃକ ଘର ରାଉରକେଲାରେ। ହେଲେ ଗତ ୩ ବର୍ଷ ତଳେ ତାଙ୍କ ମା’ ବାପାଙ୍କ ପରଲୋକ ଘଟିଥିଲା। ଏହାପରେ ନାବାଳିକା ଓ ତାଙ୍କ ଭାଇ ନିଜ ମାମୁ ଘର ବିହାରର ପାଟନା ଅଞ୍ଚଳକୁ ଚାଲିଯାଇଥିଲେ। ସେଠାରେ କିନ୍ତୁ ତାଙ୍କୁ ଆଉ ଏକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ନିଜ ଅଜା ତାଙ୍କୁ ଅସଦାଚରଣ କରିଥିଲେ। ଏହି ଘଟଣା ଶେଷରେ ଥାନାରେ ପହଞ୍ଚିଥିଲା। ଅଜା ଗିରଫ ହୋଇ ଜେଲ ଯାଇଥିଲେ। ଘଟଣାର ୩ ମାସ ପରେ କେଶ ରଫାଦଫା କରାଯାଇଥିଲା। ଏହି ସୁଯୋଗରେ ନାବାଳିକାଙ୍କ ସମ୍ପର୍କୀୟ ମଉସା ମାଉସୀ ଭାଇ ସହ ତାଙ୍କୁ ରାଉରକେଲା ନେଇ ଆସିଥିଲେ। ମା’ ବାପା ଆରପାରିକୁ ଚାଲିଯିବା ପରେ ମାଉସୀ ମଉସା ତାଙ୍କ ପୈତୃକ ଘରେ ରହୁଥିଲେ। ହେଲେ ଝିଆରୀକୁ ସ୍ନେହ ମମତା ଦେଇ ରଖିବୁ କହି ରାଉରକେଲା ନେଇ ଆସିଥିବା ମଉସାଙ୍କ ଲୋଲୁପ ଦୃଷ୍ଟି ନାବାଳିକାଙ୍କ ଉପରେ ପଡିଥିଲା। ସେ ନିଜ ସ୍ତ୍ରୀଙ୍କ ସହାୟତାରେ ଝିଆରୀକୁ ବିଭିନ୍ନ ସମୟରେ ବଳାତ୍କାର କରି ଆସୁଥିଲେ। ନାବାଳିକା ଓ ତାଙ୍କ ଭାଇକୁ ମଉସା ପୋଷୁଥିବାରୁ ଦୁହେଁ ନିଜ ଲୁହ ଚାପି ଚୁପ ରହୁଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ଶେଷରେ ନାବାଳିକା ମୁହଁ ଖୋଲିଥିବା ପ୍ରକାଶ କରିଛନ୍ତି। ତାଙ୍କ ମେଡିକାଲ ପରୀକ୍ଷା ସହ ବୟାନ ରେକର୍ଡ କରାଯାଇଛି। ଏଥିରେ ମାଉସୀ ବି ସହଯୋଗ କରୁଥିଲେ। ମୁହଁ ଖୋଲିଲେ ମୋ ଭାଇକୁ ହତ୍ୟା କରିବାକୁ ସେମାନେ ଧମକ ଦେଇଥିଲେ ବୋଲି ନାବାଳିକା କହିଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ନିଜ ମୋବାଇଲରେ ରଖି ମଉସା ଭାଇରାଲ ଧମକ ଦେଉଥିଲେ। ନିଜ ମା’ ବାପାଙ୍କୁ ହରାଇଥିବା ନାବାଳିକା ଜଣକ ପରିସ୍ଥିତିରେ ପଡି ଚୁପ ରହୁଥିଲେ। ଗତ ମଙ୍ଗଳବାର ନାବାଳିକା ଶୋଇଥିବା ବେଳେ ମଉସା ନିଶାସକ୍ତ ଅବସ୍ଥାରେ ଆସି ତାଙ୍କ ମୁହଁ ଚାପି ବଳାତ୍କାର ଉଦ୍ୟମ କରିଥିଲେ। ହେଲେ ନାବାଳିକା ଜଣକ ଏହାକୁ ବିରୋଧ କରିବାରୁ ଉତ୍‌କ୍ଷିପ୍ତ ମଉସା ମାଉସୀ ତାଙ୍କୁ ଛୁରିରେ ଆକ୍ରମଣ କରି ଆହତ କରିଥିଲେ। ତାଙ୍କ ଆଖି ତାଡିବାକୁ ଉଦ୍ୟମ କରୁଥିବା ବେଳେ ଆଖି ତଳେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପରେ ନାବାଳିକା ଜଣକ ସେଠାରୁ ଖସିଯାଇ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଥିଲେ। ବୁଧବାର ରାଉରକେଲାର ଜଣେ ମହିଳା ନେତ୍ରୀଙ୍କ ସହାୟତାରେ ସେ ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଦଫା ୨୯୪, ୩୨୩, ୩୨୪, ୩୫୪, ୫୦୯, ୫୦୬, ୩୭୬, ୫-୧୧, ୩୦୭, ୩୪ଆଇପିସି ୮ ପୋକସୋ ଧାରାରେ ଏକ ମାମଲା ରୁଜୁ କରିଛି। ଉଭୟ ମଉସା ମାଉସୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Share