ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୫ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୧୮।୧-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ପୋକ୍ସୋ ଅଦାଲତର ବିଚାରପତି ଗିରିଜା ମହାପାତ୍ର ଶନିବାର ଅଭିଯୁକ୍ତଙ୍କୁ ୧୫ବର୍ଷ ଜେଲଦଣ୍ଡ ସହ ୨୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଆଉ ବର୍ଷେ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଘରେ କେହି ନ ଥିବାବେଳେ ବେଢ଼ପଛ ଅରାଡ଼ ଗ୍ରାମର ବୁଦ୍ଧିଆ ସିଂ (୨୮) ତାଙ୍କ ଘରେ ଭିତରେ ପଶି ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ବଡ଼ଭଉଣୀ ଖବରପାଇ ପହଞ୍ଚି ସାନଭଉଣୀଙ୍କୁ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସଦର ଥାନାରେ ମାମଲା (ନଂ. ୩୪୫/୧୮) ରୁଜୁ କରାଯାଇ କୋର୍ଟରେ ବିଚାରାଧୀନ ଥିଲା। ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଏହି ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ।