ନାବାଳିକା ବଳାତ୍କାର ମାମଲା ଦୋଷୀଙ୍କୁ ୨୦ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୭।୧୨-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଗିରିଜା ମହାପାତ୍ର ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।
୨୦୧୮ ଜୁନ୍‌ ୫ ତାରିଖରେ ସୋର ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା ସନ୍ଧ୍ୟା ସମୟରେ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କ ପଡ଼ୋଶୀ ପ୍ରକାଶ ଜେନା (୨୮) ତାଙ୍କୁ ଉଠାଇ ନେଇ ନିକଟସ୍ଥ ଖଳାରେ ଜବରଦସ୍ତ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ପ୍ରକାଶଙ୍କ ବିରୋଧରେ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ମାମଲା (ନଂ. ୨୩୭/୧୮) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେ ଗିରଫ ହେବା ପରଠାରୁ ବାଲେଶ୍ୱର ଜେଲରେ ଥିଲେ। ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରଣବ ପ୍ରକାଶ ପଣ୍ଡା ମାମଲା ପରିଚାଳନା କରୁଥିଲେ।