ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୩।୨-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ମହାପାତ୍ର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହ ୨୮ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଆଉ ୧୩ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
ଗତ ୨୦୧୭ ଏପ୍ରିଲ ୨୫ତାରିଖରେ ବାଲେଶ୍ୱର ଜିଲା ସଦର ଥାନା ଅଧୀନ ବାଲିଧାରି ଗ୍ରାମର ରାଧାମୋହନ ସିଂ ଓରଫ୍‌ ଡାକ୍ତର (୨୦) ଜଣେ ନାବାଳିକାଙ୍କୁ କାମ ଯୋଗାଇ ଦେବାକୁ କହି କୁରୁଡ଼ାସ୍ଥିତ ଜଣେ ଠିକାଦାରଙ୍କ ପାଖକୁ ଯିବାକୁ କହିଥିଲେ। ଘରୁ ଯିବା ପରେ ସେ ତାଙ୍କୁ କୁରୁଡ଼ାକୁ ନ ନେଇ ୬୦ନଂ. ଜାତୀୟ ରାଜପଥର ପଦାବଡ଼ଗାଁ ଏକ ଢ଼ାବା ନିକଟରେ ଛିଡ଼ା କରି ୧୦୦ଟଙ୍କା ଯାଚିଥିଲେ। ନାବାଳିକା ଜଣକ କାରଣ ପଚାରିବାରୁ ତାଙ୍କୁ ନିକଟରେ ଥିବା ଏକ ପୋଲ ତଳକୁ ନେଇ ଜବରଦସ୍ତ ବଳାତ୍କାର କରିଥିଲେ। ଘଟଣା କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ସେ ଏକ ଅଟୋ ଯୋଗେ କୁରୁଡ଼ା ନେଇଯାଇଥିଲେ। ଅଧିକ ଯନ୍ତ୍ରଣା ହେବାରୁ ନାବାଳିକା ଜଣକ ଫୋନ୍‌ ଯୋଗେ ତାଙ୍କ ମା’ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରଦିନ କୁରୁଡ଼ାରେ ଥିବା ଠିକାଦାରଙ୍କ କ୍ୟାମ୍ପରୁ ନାବାଳିକାକୁ ପରିବାର ଲୋକେ ନେଇଯିବା ସହ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ସଦର ଥାନାରେ ମାମଲା (ନଂ. ୧୨୪/୧୭) ରୁଜୁ କରାଯାଇ ପୋକ୍ସୋ ଅଦାଲତରେ ବିଚାର କରାଯାଇଥିଲା। ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ୧୩ଜଣ ସାକ୍ଷୀ ଓ ୧୯ ଦସ୍ତାବିଜ୍‌ ମୂଳେ ଉକ୍ତ ମାମଲାକୁ ବିଚାର କରି ଏହି ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।