ନାମାଙ୍କନପତ୍ର ଦାଖଲ ପରେ ପଞ୍ଚାୟତ କାର୍ଯ୍ୟାଳୟରେ ଭଙ୍ଗାରୁଜା

ଭଦ୍ରକ ଅଫିସ,୨୨।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ପଞ୍ଚାୟତ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ କାର୍ଯ୍ୟାଳୟରେ। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଞ୍ଚାୟତ କାର୍ଯ୍ୟାଳୟର ୪ଟି ତାଲା ଭାଙ୍ଗିଛନ୍ତି। ଏଥିସହ ନିକଟରେ ଥିବା ଆରସା ସେବା ସମବାୟ ସମିତିରେ ତାଲା ମଧ୍ୟ ଭଙ୍ଗା ଯାଇଥିବା ଜଣାପଡ଼ିଛି। ତେବେ କିଏ, କାହିଁକି ଏହିପରି ଭଙ୍ଗାରୁଜା କରିଛି ସେ ନେଇ କୌଣସି ସୂଚନା ମିଳିନାହିଁ। ଖବର ପାଇ ତିହିଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ବାହାରେ କାଗଜପତ୍ର ପଡିଛି। ତେଣୁ କ’ଣ ଭଙ୍ଗାରୁଜା ହୋଇଛି, ନାମାଙ୍କନ ଦାଖଲ କରିଥିବା କାଗଜପତ୍ର ଠିକ୍‌ ଅଛି କି ନାହିଁ ତାହା ପୋଲିସ ତଦନ୍ତ କଲେ ସ୍ପଷ୍ଟ ହେବ।