Categories: ଖେଳ

ନାମାଙ୍କନ ଦାଖଲ କଲେ ଆଝାରୁଦ୍ଦିନ

ହାଇଦ୍ରାବାଦ,୧୯।୯(ପିଟି): ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଆସୋସିଏଶନର ବିଭିନ୍ନ ପଦ ଲାଗି ଆସନ୍ତା ୨୭ ତାରିଖରେ ନିର୍ବାଚନ ହେବ। ସେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଭି.ଏସ୍‌. ସମ୍ପଥଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମୁଁ ସମସ୍ତଙ୍କ ମତକୁ ନେଇ କ୍ରିକେଟକୁ ଆଗକୁ ନେବାକୁ ଚାହେଁ। ଜିଲା କ୍ରିକେଟ ପାଇଁ ମଧ୍ୟ କିଛି କରିବାକୁ ଆଶା ରଖିଛି ବୋଲି ଆଝାରୁଦ୍ଦିନ କହିଛନ୍ତି। ଉପସଭାପତି ଲାଗି ପୂର୍ବତନ ପ୍ରଶାସକ ପି. ଆର. ମାନସିଂଙ୍କ ପୁଅ ବିକ୍ରମ ମାନସିଂ ନାମାଙ୍କନ ଦାଖଲ କରିଛନ୍ତି। ଏମାନଙ୍କ ବ୍ୟତୀତ ଅଜମଲ ଅସାଦ (ସମ୍ପାଦକ), ପି. ଶ୍ରୀନିବାସ (ଯୁଗ୍ମ ସମ୍ପାଦକ), ଜି. ଶ୍ରୀନିବାସ (ଟ୍ରେଜରର) ଓ ପି. ଅନୁରୁଧା ( କାଉନ୍ସିଲର) ଅନ୍ୟାନ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୨୩ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ। ପୂର୍ବତନ ଅଧିନାୟକଙ୍କୁ ବିକ୍ରମ ଓ ଅନ୍ୟମାନେ ସମର୍ଥନ କରୁଛନ୍ତି। ଉଲ୍ଲେଖଥାଉ କି, ୨୦୧୭ରେ ସଭାପତି ପଦ ପାଇଁ ଦାଖଲ କରିଥିବା ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। କାରଣ ତାଙ୍କ ଉପରକୁ ବିସିସିଆଇ ବାସନ୍ଦ ଉଠାଇଥିବା ନେଇ ପ୍ରମାଣ କରିପାରି ନ ଥିଲେ। ନିର୍ବାଚନ କର୍ମକର୍ତ୍ତା କହିଛନ୍ତି ଆଝାରୁଦ୍ଦିନଙ୍କ ଭୋଟିଂ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।

Share