ନାମ ଲେଖା ପାଇଁ ଲଟେରି

ଆନନ୍ଦପୁର, ୫।୯(ସ୍ବ.ପ୍ର.)- ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କ ଆବେଦନ ଫର୍ମର ଲଟେରି ଉଠାଣ ଆରମ୍ଭ ହୋଇଛି। ଏହି ଲଟେରି ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଚାଲିବ। ବୁଧବାର ତୃତୀୟରୁ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନାମଲେଖା ପାଇଁ ଲଟେରି ହୋଇଥିବାବେଳେ ଗୁରୁବାର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କର ଲଟେରି ହେବ। ଲଟେରି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଏକ ଭିଏମ୍‌ସି (ବିଦ୍ୟାଳୟ ପରିଚାଳନା କମିଟି) ଗଠନ କରାଯାଇଛି। ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ, ଦୁଇ ଶିକ୍ଷକ, ୪ ଅଭିଭାବକଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ସଂପୃକ୍ତ ଲଟେରିର ତଦାରଖ ଦାୟିତ୍ୱରେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ ରହିଛନ୍ତି। ତେବେ ଏହି ଲଟେରି ଚୟନ ପ୍ରକ୍ରିୟାରେ ଅନିୟମିତତା ହେଉଥିବା କେତେକ ଅଭିଭାବକ କହିଛନ୍ତି। ଅପରପକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ ଆନନ୍ଦପୁରର ଅଧ୍ୟକ୍ଷ ଏସ.କେ.ସେଠୀ କହିଛନ୍ତି ଯେ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଗାଇଡଲାଇନ୍ସ ଅନୁଯାୟୀ ଲଟେରି ଅନୁଷ୍ଠିତ ହେଉଛି। ଏହା ସହିତ ଚଳିତ ମାସ ୯ ତାରିଖ ଭିତରେ ନାମଲେଖା ପ୍ରକ୍ରିୟା ଶେଷ କରାଯାଇ ପାଠପଢା ଆରମ୍ଭ କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ନୂତନ ଭାବେ ଆନନ୍ଦପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥିବାରୁ ଛାତ୍ରୀଛାତ୍ରଙ୍କ ଆବେଦନ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିଲା। ସୂଚନାଯୋଗ୍ୟ ୧୦।୮।୨୦୧୯ରିଖରେ କେନ୍ଦ୍ରୀୟ ବିଦ୍ୟାଳୟକୁ ମୋହର ଲାଗିବା ପରେ ଶିକ୍ଷାବର୍ଷ ୨୦୧୯-୨୦ ପାଇଁ ଛାତ୍ରୀଛାତ୍ରଙ୍କର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ମାସ ୧୪ରୁ ବିଦ୍ୟାଳୟ ପକ୍ଷରୁ ଫର୍ମ ଆବେଦନ ଆରମ୍ଭ କରାଯାଇ ୨୫ରେ ଶେଷ ହୋଇଥିଲା। ପ୍ରତ୍ୟେକ ଶ୍ରେଣୀ ପାଇଁ ଗୋଟିଏ ସେକ୍‌ସନରେ ୪୦ ଗୋଟି ସିଟ୍‌ ସ୍ଥିର କରାଯାଇଛି।