ଟ୍ରକ୍‌ ଦୁର୍ଘଟଣାରେ ସ୍ତ୍ରୀ ମୃତ; ସ୍ବାମୀ-ଝିଅ ଗୁରୁତର: ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ସାକ୍ଷୀଗୋପାଳ,୧୩।୬(ଡି.ଏନ୍‌.ଏ.): ସତ୍ୟବାଦୀ ବ୍ଲକ ଛକରେ ଗୁରୁବାର ଏକ ମର୍ମନ୍ତୁଦ ଟ୍ରକ୍‌ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୀ ନବକଳେବର ରୋଡରେ ରହୁଥିବା ସସ୍ମିତା ମିଶ୍ର(୩୯)। ସେହିପରି ମହିଳାଙ୍କ ସ୍ବାମୀ ଶିବ ପ୍ରସାଦ ମିଶ୍ର ଓ କନ୍ୟା ସ୍ଥିତି ପ୍ରଜ୍ଞା ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବାରମ୍ବାର ଦୁର୍ଘଟଣା ହେଉଥିବା ଉକ୍ତ ସ୍ଥାନରେ ହମ୍ପସ୍‌ ନିର୍ମାଣ ଓ ଆଲୋକ ବ୍ୟବସ୍ଥା କରିବା ଦାବିରେ ରାସ୍ତାରୋକୋ କରିଥିଲେ। ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ ଓ ସତ୍ୟବାଦୀ ବ୍ଲକ ଅଧଧ୍ୟକ୍ଷ ସସ୍ମିତା ପ୍ରଧାନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଦାବି ପୂରଣ ହେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକୋ ହଟିଥିଲା। ଏଥିଯୋଗୁ ଦୁଇ ଘଣ୍ଟା କାଳ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Share