Categories: ଖେଳ

ନାଲ୍‌କୋ ଓପନ ଟେନିସ: ଅନମ, ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି)- ନାଲ୍‌କୋ ଓପନ ଟେନିସ ଟୁର୍ନାମେଣ୍ଟ ରବିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ ଟପ୍‌ ସିଡ୍‌ ଅନମ ଆଲମାସ ଓ ପୁରୁଷରେ ଅଂଶୁ କୁମାର ଭୂୟଁା ଚାମ୍ପିୟନ ହୋଇଛନ୍ତି। ମହିଳା ଫାଇନାଲରେ ଅନମ ଗତଥରର ଚାମ୍ପିୟନ ଋତୁପର୍ଣ୍ଣା ଚୌଧୁରୀଙ୍କୁ ୭-୫, ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି। ଅନମଙ୍କ ପାଇଁ ଏହା ହେଉଛି ପ୍ରଥମ ସିଙ୍ଗଲ୍ସ ଟାଇଟଲ। ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଅଂଶୁ ୬-୧, ୬-୨ ସେଟ୍‌ରେ କୁମାର ଅନୁରାଗ ସରନଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ଏହାକୁ ମିଶାଇ ଅଂଶୁ ମୋଟ ୫ ଥର ନାଲ୍‌କୋ ଓପନ ଜିତିଛନ୍ତି। ଅଜୟ କୁମାର ନିଶଙ୍କଙ୍କୁ ସାଥିକରି ସେ ଏଠାରେ ପୁରୁଷ ଡବଲ୍ସ ଟାଇଟଲ ମଧ୍ୟ ଜିତିଛନ୍ତି। ୧୪ ବର୍ଷରୁ କମ୍‌ ବାଳିକାରେ ନିମା ସାରା କିସ୍‌ପୋଟା, ୧୨ ବର୍ଷରୁ କମ୍‌ ବାଳକରେ ଲଳିତ ଟୁଡୁ ଓ ୧୬ ବର୍ଷରୁ କମ୍‌ ବାଳକରେ ଡି. ଆର୍ଯ୍ୟନ ସ୍ବାମୀ ଚାମ୍ପିୟନ ହୋଇଛନ୍ତି। ନାଲ୍‌କୋ ସିଏମଡି ଶ୍ରୀଧର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଟାଟା ଷ୍ଟିଲ୍‌ (ଭୁବନେଶ୍ୱର) ଚିଫ୍‌ ରେସିଡେଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଦେବାଶିଷ ଜେନା, ଭୁବନେଶ୍ୱର ଜିଲା ଟେନିସ ଆସୋସିଏଶନ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share