Advertisement

ନାଲ୍‌କୋ ସ୍କୁଲରେ ପାତରଅନ୍ତର ଅଭିଯୋଗ: କ୍ଷତିଗ୍ରସ୍ତଙ୍କ ପିଲାଙ୍କୁ ଅଣଦେଖା

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଅନୁଗୋଳ ଜିଲାର ବଅଁରପାଳଠାରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପାଇଁ ବହୁ ଲୋକ ଚାଷ ଜମି ଓ ଭିଟା ମାଟି ହରାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ନାଲ୍‌କୋ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲେ ବି ଆହୁରି ଅନେକ କ୍ଷତିଗ୍ରସ୍ତଙ୍କୁ ଚାକିରି ତ ଦୂରର କଥା ଠିକାରେ କାମଟିଏ ଦିଆଯାଉ ନାହିଁ। ଏପରି କି କ୍ଷତିଗ୍ରସ୍ତଙ୍କ ପିଲାମାନଙ୍କ ପ୍ରତି ନାଲ୍‌କୋର ଶିକ୍ଷାନୁଷ୍ଠାନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି।
ନାଲ୍‌କୋ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପାରିପାର୍ଶ୍ୱିକ ଗ୍ରାମରେ ଦୀର୍ଘବର୍ଷ ହେଲା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ରାସ୍ତା ସମସ୍ୟା ଲାଗି ରହିଛି। ସେହିପରି ଅନେକ ସମୟରେ କାରଖାନାରୁ ନିର୍ଗତ ବିଭିନ୍ନ ବିଷାକ୍ତ ଗ୍ୟାସ୍‌, ଆଶ୍‌ପଣ୍ଡର ପାଉଁଶ ଗୁଣ୍ଡ ଓ ବିଶାକ୍ତ ତୈଳ ପାଣି ଦ୍ୱାରା ଫସଲ କ୍ଷତିଗ୍ରସ୍ତ ହେଉଛି। ପ୍ରଦୂଷଣ ମଧ୍ୟ ବଢ଼ି ଚାଲିଛି। ଧୂଳି ଓ ଧୂଅଁାରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଲେଣି। କ୍ଷତିଗ୍ରସ୍ତଙ୍କ ଏସବୁ ସମସ୍ୟାର ସମାଧାନ ଦିଗରେ ଠିକଣା ପଦକ୍ଷେପ ନେବା ପରିବର୍ତ୍ତେ ସେମାନଙ୍କ ପ୍ରତି ଆହୁରି ଅବହେଳା କରାଯାଉଥିବା କ୍ଷତିଗ୍ରସ୍ତ ଏଲ୍‌ଏପି ପ୍ରଜା ମହାସଂଘ ସଭାପତି ଅଖିଳ କୁମାର ପଣ୍ଡା, ବରିଷ୍ଠ ଶ୍ରମିକ ନେତା ମୀନକେତନ ଅମାନ୍ତ, କ୍ଷତିଗ୍ରସ୍ତ ପ୍ରଜା ସଂଘର ପୂର୍ବତନ ସଭାପତି ଶ୍ରୀକାନ୍ତ ଗଡ଼ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ନାଲ୍‌କୋ ସ୍କୁଲରେ କ୍ଷତିଗ୍ରସ୍ତଙ୍କ ପିଲାମାନଙ୍କ ନାମ ଲେଖାରେ ପାତରଅନ୍ତର କରାଯାଉଛି। ନାଲ୍‌କୋ ଡିପିଏସ୍‌ କିମ୍ବା ସରସ୍ବତୀ ବିଦ୍ୟାମନ୍ଦିରରେ ପିଲାଙ୍କୁ ପଢ଼ାଇବାକୁ କ୍ଷତିଗ୍ରସ୍ତମାନଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଛି। ନାଲ୍‌କୋ କର୍ମଚାରୀଙ୍କ ପିଲାଙ୍କ ପାଇଁ ସ୍ବତନ୍ତ୍ର ସିଟ୍‌ ରଖାଯାଉଥିବା ବେଳେ କ୍ଷତିଗ୍ରସ୍ତଙ୍କ ପିଲାମାନଙ୍କୁ ସେହି ସୁବିଧା ମିଳିପାରୁ ନାହିଁ। ଫି ବାବଦରେ କର୍ମଚାରୀଙ୍କ ପିଲାଙ୍କ ଠାରୁ ଅଳ୍ପ ଟଙ୍କା ନିଆଯାଉଥିବା ବେଳେ କ୍ଷତିଗ୍ରସ୍ତ ପିଲାଙ୍କ ଠାରୁ ତିନିଗୁଣା ଅଧିକ ଅର୍ଥ ନିଆଯାଉଛି। କେତେଜଣ ଦଲାଲଙ୍କ ଦ୍ୱାରା ବାହାର ଅଞ୍ଚଳର ପିଲାମାନଙ୍କୁ ଅଣାଯାଇ ନାମ ଲେଖାଯାଉଥିବା ସ୍କୁଲର କିଛି କର୍ମଚାରୀ ସୂଚନା ଦେଇଛନ୍ତି। ଏହା ବିରୋଧରେ ଆଗାମୀ ଦିନରେ ସ୍ବର ଉତ୍ତୋଳନ କରାଯିବ ବୋଲି ସମ୍ପୃକ୍ତ କ୍ଷତିଗ୍ରସ୍ତମାନେ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share