ନାଳରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ

ଦାରିଙ୍ଗବାଡ଼ି,୧୩ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ନେଡିପାଙ୍ଗା ଗ୍ରାମର କାଡ଼ଗି ନାଳରେ ଏକ ନବଜାତ ଶିଶୁପୁତ୍ରର ମୃତଦେହକୁ ବାଲିଗୁଡ଼ା ପୋଲିସ ଉଦ୍ଧାର କରିଛି। ଉଦ୍ଧାର ଶିଶୁର ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ସକାଳୁ ବ୍ୟବଚ୍ଛେଦ କରାଯାଇଛି। ଏନେଇ କେସ୍‌ ନ. ୭/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା କହିଛନ୍ତି। ଡିଏସ୍‌ପି ମନୋଜ କୁମାର ପୂଜାରୀ ମାମଲାର ତଦନ୍ତ କରୁଥିବା ଜଣାପଡ଼ିଛି। କିଏ କାହିଁକି କେଉଁ କାରଣ ଯୋଗୁ ଶିଶୁପୁତ୍ରଟିକୁ ନାଳରେ ପକାଇ ଦେଇଥିଲା ସେନେଇ ତଦନ୍ତ ଚାଲିଛି। ସେହିପରି ଘଟଣାସ୍ଥଳରେ ନେଡ଼ିପାଙ୍ଗା ଅଙ୍ଗନୱାଡ଼ିକର୍ମୀ କାନ୍ଦୁରୀ ପ୍ରଧାନ ଏବଂ ରାଣିପଦର ଅଙ୍ଗନୱାଡ଼ିକର୍ମୀ ଶାନ୍ତିଲତା ପ୍ରଧାନ ପହଞ୍ଚି ସେହି ଅଞ୍ଚଳରେ ଗର୍ଭବତୀ ମହିଳାଙ୍କ ଘରକୁ ଯାଇ ଯାଞ୍ଚ କରିଛନ୍ତି। ଉକ୍ତ ଅଞ୍ଚଳରେ ମାତ୍ର ୪ଜଣ ଗର୍ଭବତୀ ରହିଥିବା ବେଳେ ସେମାନଙ୍କ ପ୍ରସବ ହୋଇ ନ ଥିବା କହିଛନ୍ତି। ସେହିପରି ବୁଡାଗୁଡ଼ା ପଞ୍ଚାୟତ ଅଞ୍ଚଳରେ ମୋଟ ୫୧ ଜଣ ଗର୍ଭବତୀ ଉପସ୍ବାସ୍ଥ୍ୟକେନ୍ଦ୍ରରେ ନାମ ପଞ୍ଜୀକରଣ କରିଥିବା ବେଳେ ସମସ୍ତଙ୍କ ଘରକୁ ଏଏନ୍‌ଏମ୍‌ ଏବଂ ଅଙ୍ଗନୱାଡ଼ି, ଆଶାକର୍ମୀ ପହଞ୍ଚି ତଦନ୍ତ ଚଳାଇଥିବା ଉପସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରିୟଦର୍ଶିନୀ ପ୍ରଧାନ କହିଛନ୍ତି। ବାହାର ପଞ୍ଚାୟତ ଅଞ୍ଚଳରୁ ଶିଶୁର ମୃତଦେହ ଅଣାଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଅଙ୍ଗନୱାଡ଼ିକର୍ମୀମାନେ ଆଶଙ୍କା କରିଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ପୂର୍ବାହ୍ନରୁ ଏକ ନବଜାତ ଶିଶୁ ପାଣିରେ ପଡ଼ିଥିବା କିଛି ଲୋକ ଦେଖଥିବା ଚର୍ଚ୍ଚା ହେଉଥିଲା। ସନ୍ଧ୍ୟାରେ ଉକ୍ତ ଶିଶୁର ଫଟୋ ଭାଇରାଲ ହେବା ପରେ ବୁଡାଗୁଡ଼ା ରାଜସ୍ବ ନିରୀକ୍ଷକ ବିଚିତ୍ର ମଲ୍ଲିକ ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ନାଇଡୁ ବିଳମ୍ବିତ ରାତିରେ ସେଠାକୁ ଯାଇ ଦେଖି ଘଟଣାର ସତ୍ୟାସତ୍ୟ ଜାଣି ସ୍ଥାନୀୟ ପ୍ରଶାସନଙ୍କୁ ଅବଗତ କରାଇଥିଲେ। ପରେ ପ୍ରଶାସନ ପକ୍ଷରୁ ପୋଲିସକୁ ଖବର ଦିଆଯିବା ପରେ ରାତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହ ଜବତ କରିଥିଲା ବୋଲି ଆଇଆଇସି କହିଛନ୍ତି।