ନାଳରେ ଭାସି ଯାଇଥିଲେ ବୃଦ୍ଧା : ୨୦ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଝରିଗାଁ,୭।୯(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ଏକମ୍ବା ଗ୍ରାମର ଜଣେ ବୃଦ୍ଧା ନାଳ ପାରି ହେବା ସମୟରେ ଭାସି ଯାଇଥିଲେ। ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଏକମ୍ବା ଗ୍ରାମର ସନମତି ଗୌଡ଼(୬୫) ଏବଂ ତାଙ୍କ ଦୁଇ ସମ୍ପର୍କୀୟ ସତାଇ ଭତ୍ରା ଏବଂ ସରା ଗୌଡ଼ କାନାକୋଟ ପଞ୍ଚାୟତ ଲିରାଗୁଡା ଗ୍ରାମରେ ରହୁଥିବା ଝିଅ ଘରକୁ ନାତୁଣୀର ଏକୋଇଶିଆରେ ଯୋଗ ଦେବାକୁ ଯାଇଥିଲେ। ଶୁକ୍ରବାର ଅପରାହ୍ନରେ ଚିତ୍ରାଙ୍ଗି ନାଳ ପାରି ହେଉଥିବା ବେଳେ ସନମତିଙ୍କ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ। ସାଙ୍ଗରେ ଯାଇଥିବା ଅନ୍ୟ ଦୁଇ ମହିଳା ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଖବରପାଇ ଝରିଗାଁରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲଗାଣ ବର୍ଷା ସାଙ୍ଗକୁ ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ତେବେ ଘଟଣାର ୨୦ ଘଣ୍ଟା ପରେ ଅର୍ଥାତ ଶନିବାର ଅଗ୍ନିଶମ ବିଭାଗର ଡି ସାରକା, ସନ୍ତୋଷ କୁମାର ସ୍ବାଇଁ, ଟଙ୍କଧର ଦୁରିଆ ଏବଂ ମଦନ ମୋହନ ଶବରଙ୍କ ପ୍ରଚେଷ୍ଟାରେ ସନମତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।