Advertisement

ନାଳ ପାରି ହେବାକୁ ଦଉଡ଼ି ଭରସା

କେନ୍ଦୁଝର, ୨୭ା୧୦ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସବୁଦନିଆ ଯାତାୟାତର ସୁବିଧା ନ ଥିବାରୁ ଲୋକେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି । ବର୍ଷା ହେଲେ ନଦୀନାଳରେ ପାଣି ବୃଦ୍ଧି ପାଇଥାଏ। ଫଳରେ ରାସ୍ତା ଓ ପୋଲ ନ ଥିବାରୁ ଲୋକ ମାନେ ଯିବାଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ସତେ ଯେପରି ପ୍ରହସନ ପାଲଟିଛି। କିଏ ବଢି ପାଣିରେ ଅସୁରକ୍ଷିତ ଅବସ୍ଥାରେ ଡଙ୍ଗାରେ ପାର ହେଉଛି ତ କିଏ ଦଉଡି ସହାୟତାରେ ନଦୀ ପାର ହୋଇ ଯିବାଆସିବା କରୁଛନ୍ତି।
ଏଭଳି ଏକ ଗ୍ରାମ ଦେଖିବାକୁ ମିଳିଛି ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳା ପଞ୍ଚାୟତର ହଳଡିହି ଗ୍ରାମ। ଏହି ଗ୍ରାମରେ କାହିଁ କେଉଁ କାଳରୁ ପାଖାପାଖି ୫୦ ପରିବାର ବସବାସ କରୁଛନ୍ତି। ଗ୍ରାମରୁ ପଞ୍ଚାୟତକୁ ସବୁଦିନିଆ ରାସ୍ତା ନ ଥିବାରୁ ବର୍ଷା ଦିନ ଆସିଲେ ଦୁଃଖ ପଡେ। ଏହି ଗ୍ରାମ ଦେଇ ବୋହିଯାଇଥିବା ଗୋଟିଏ ପାର୍ଶ୍ୱରେ ବଇଗାଁ ନଦୀ ଓ ଅନ୍ୟପାର୍ଶ୍ୱରେ ମଲଦା ନାଳ ବୋହିଯାଉଥିବାରୁ ବର୍ଷା ଦିନରେ ଏହି ନଦୀ ସେମାନଙ୍କ ପାଇଁ ଦୁଃଖ ପାଲଟେ। ଏହି ଦୁଇ ନଦୀରେ ପୋଲ ନିର୍ମାଣ ହୋଇ ନ ଥିବାରୁ ଛୋଟ ଛୋଟ ପିଲା, ରୋଗୀ ତଥା ବୃଦ୍ଧାବୃଦ୍ଧ ମାନେ ଅସୁବିଧା ଭୋଗନ୍ତି । ଏପରିକି ଆମ୍ବୁଲାନସ ବା ଅନ୍ୟ ଗାଡି ଆସିପାରେନାହିଁ । ଏଣୁ ଯାତାୟତ ପାଇଁ ବଇଙ୍ଗା ନଦୀରେ ଗ୍ରାମବାସୀ ଏକ କାଠ ପୋଲ ନିର୍ମାଣ କରି ଯିବାଆସିବା କରନ୍ତି । କିନ୍ତୁ ବର୍ଷାରେ ଏହି କାଠ ପୋଲ ଭାସିଯିବା ପରେ ଯାତାୟତ ଠପ୍‌ ହୋଇଯାଏ । ଫଳରେ ବାଧ୍ୟ ହୋଇ ଲୋକ ମାନେ ନଦୀର ଦୁଇ ପାଶ୍ୱରେ ଦଉଡି ବାନ୍ଧି ଓ ତାହାକୁ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ପାର ହୋଇଥାନ୍ତି । ଏପରିକି ପାଠ ପଢିବାକୁ ସ୍କୁଲ ଯିବା ଆସିବା କରୁଥିବା ଛାତ୍ରୀଛାତ୍ର ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଦଉଡି ଧରି ପାର ହୋଇଥାନ୍ତି। ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରି ଏକ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share