ଓ୍ବାଶିଂଟନ୍: ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ଦୁଇଟି କ୍ଷୁଦ୍ର ସାଟେଲାଇଟ୍ ମହାକାଶକୁ ଲଞ୍ଚ୍ କରିବ। ପୃଥିବୀର ଉପର ବାୟୁମଣ୍ଡଳରେ ସାମରିକ ଓ ଏୟାରଲାଇନ୍ ଯୋଗାଯୋଗ ଏବଂ ଜିପିଏସ୍ ସିଗ୍ନାଲ୍ କ୍ଷେତ୍ରରେ ଉପୁଜିଥିବା ଅସୁବିଧା ଦୂରକରିବାରେ ଏହା ସହାୟକ ହୋଇପାରିବ।
ଯମଜ ଏନ୍ହାନ୍ସଡ ଟାଣ୍ଡେମ ବିକନ୍ ଏକ୍ସପେରିମେଣ୍ଟ ସଂକ୍ଷେପରେ ‘ଇ-ଟିବିଏକ୍ସ’ କ୍ୟୁବ୍ସାଟ୍ସକୁ ଜୁନ୍ ୨୪ରେ ଆମେରିକା ପ୍ରତିରକ୍ଷା ବିଭାଗର ସ୍ପେସ୍ ଟେଷ୍ଟ ପ୍ରୋଗ୍ରାମ-୨ ଲଞ୍ଚ୍ପ୍ୟାଡ୍ରୁ ଉତ୍କ୍ଷେପଣ କରାଯିବ। ଏଥିସହିତ ୨୪ଟି ସାଟେଲାଇଟ୍କୁ ଏକକାଳୀନ ଲଞ୍ଚ୍ କରାଯିବ। ପୃଥିବୀର ଆୟୋନୋସ୍ଫିୟର ଦ୍ୱାରା ରେଡିଓ ସଂକେତ କିପରି ପ୍ରତିହତ ହେଉଛି ତାହା ଉପରେ ଇ-ଟିବିଏକ୍ସ କ୍ୟୁବ୍ସାଟ୍ସ ଦୃଷ୍ଟିପାତ କରିବ। ବିଶେଷକରି ବିଷୁବରେଖାରେ ସାମରିକ ଓ ବିମାନ ଯୋଗାଯୋଗ ଏବଂ ଜିପିଏସ୍ ସଂକେତ ଆଦାନପ୍ରଦାନ କ୍ଷେତ୍ରରେ ଯେଉଁ ସମସ୍ୟା ସୃଷ୍ଟି ହେଉଛି ତାହାକୁ ସୁଧାରିବାରେ ଏହି ଟୁଇନ୍ ସାଟେଲାଇଟ୍ ସହାୟକ ହୋଇପାରିବ ବୋଲି ମହାକାଶ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି।