ନା ଖାନ୍‌, ନା ଖିଲାଡ଼ି କିଙ୍ଗ: ତଥାପି ଆଗାମୀ ବର୍ଷ ପାଇଁ ପଙ୍କଜଙ୍କ ହାତରେ ରହିଛି ୯ ଫିଲ୍ମ

ବମ୍ବେ: ବଲିଉଡ୍‌ରେ ନାମ କମାଇବା ସହଜ କଥା ନୁହେଁ। ଖ୍ୟାତନାମା କଳାକାରଙ୍କ ପରିବାରରୁ ଆସିଥିଲେ ସୁଦ୍ଧା ଅନେକ ଏଠାରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ନାହିଁ। ଏବେ ବି ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ତିନି ଖାନ୍‌(ସଲମାନ୍‌, ଶାହରୁଖ, ଆମିର)ଙ୍କ ରାଜ୍‌ ବଡ଼ ପରଦାରେ ଦେଖିବାକୁ ମିଳେ। ଏସବୁ ସତ୍ତ୍ୱେ ଯେଉଁ କେତେଜଣ ଅଭିନେତା ବଲିଉଡ୍‌ରେ ନିଜ ଅଭିନୟର ଛାପ ଛାଡ଼ିପାରିିଛନ୍ତି ସେମାନଙ୍କ ମଧ୍ୟରୁ ପଙ୍କଜ ତ୍ରିପାଠୀ ଅନ୍ୟତମ। ପଙ୍କଜ ‘ସୁପର-୩୦, ନ୍ୟୁଟନ, ସ୍ତ୍ରୀ, ଫ୍ୟାଣ୍ଟମ୍‌, କଳାକାଣ୍ଡି’ ଭଳି ଚଳଚ୍ଚିତ୍ରରେ କାମ କରି ନିଜ ଅଭିନୟର ପାରଦର୍ଶିତା ଦେଖାଇଛନ୍ତି। ଫିଲ୍ମଗୁଡ଼ିକରେ ସେ ନିଜ ଚରିତ୍ରକୁ ନେଇ ବାହା ବାଃ ମଧ୍ୟ ସାଉଁଟିଛନ୍ତି।

ଚଳିତ ବର୍ଷ ସରି ସରି ଆସୁଥିବା ବେଳେ ଅକ୍ଷୟଙ୍କ ଭଳି ଏବେଠାରୁ ଆଗାମୀ ବର୍ଷର ପ୍ରସ୍ତୁତି ଆରମ୍ଭ କରିଦେଲେଣି ପଙ୍କଜ। ଏବେ ତାଙ୍କ ହାତରେ ୯ଟି ଫିଲ୍ମ। ସେ ରଣବୀରଙ୍କ ସହ ଫିଲ୍ମ ‘୮୩’, ଇରଫାନଙ୍କ ସହ ‘ଅଗ୍ରେଜୀ ମିଡିୟମ’, ଜାହ୍ନବୀ କପୁରଙ୍କ ‘ଗୁଞ୍ଜନ ସକ୍ସେନା’, ‘ରୁହି ଅଫ୍‌ଜା’, ‘ମିମି’, ‘ତାନାଜି: ଦ ଅନ୍‌ସଙ୍ଗ ଓ୍ବାରିଅର୍‌’, ‘ପଙ୍ଗା’, ‘ସନ୍ଦିପ୍‌ ଔର ପିଙ୍କି ଫରାର’ସହ ଅନୁରାଗ ବାସୁଙ୍କ ଆଗାମୀ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ। ସେହିଭଳି ଓ୍ବେବ୍‌ ସିରିଜ୍‌ ’ମିର୍ଜାପୁର-୨’ରେ ମଧ୍ୟ ପଙ୍କଜ ପୁଣିଥରେ କାମ କରିବେ ବୋଲି ଜଣାପଡ଼ିଛି। ଏସବୁ ପ୍ରୋଜେକ୍ଟ ପାଇଁ ସେ ମଧ୍ୟ ଚୁକ୍ତିବଦ୍ଧ ହୋଇ ସାରିଛନ୍ତି। ଫିଲ୍ମ ତାଲିକାକୁ ଦେଖିଲେ ୨୦୨୦ ପଙ୍କଜଙ୍କ ପାଇଁ ବେଶ୍‌ ଭଲ ସାବ୍ୟସ୍ତ ହେବ ବୋଲି ପ୍ରଶଂସକମାନେ ମତ ରଖୁଛନ୍ତି।

Share