ରାଞ୍ଚି, ୧୯।୭: ଝାଡଖଣ୍ଡର ହଜାରିବାଗ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଭାଇଙ୍କ ମୃତ୍ୟୁ ପରେ ଗାଁ ମଝିରେ ନିଆଁ ଜଳାଇ ଆତ୍ମଦାହ କରିବାକୁ ପ୍ରସ୍ତୁତ ହେଉଥିଲାବେଳେ ସ୍ଥାନୀୟ ଲୋକେ ମୋବାଇଲରେ ଭିଡିଓ ଶୁଟିଂ କରୁଥିଲେ, ତାଙ୍କୁ ରୋକିବାକୁ କେହି ଆସି ନ ଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା। ସୂଚନାଯୋଗ୍ୟ, ଜୀବନ ଦିଦି ନାମକ ଜଣେ ମହିଳା ଗାଁ ରାସ୍ତାରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏଥିରେ ତାଙ୍କ ଶରୀରର ୪୦ ପ୍ରତିଶତ ପୋଡିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଞ୍ଚିର ରିମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିକଟରେ ଜୀବନ ଦିଦିଙ୍କ ଭାଇଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍ ନ ଥିବାରୁ ସେ ୨-୩ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ।