ନିଆଁ ଲଗାଇ ସ୍ତ୍ରୀକୁ ହତ୍ୟା, ସ୍ବାମୀ ଗିରଫ

ଖୁଣ୍ଟା,୭ା୮(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ନିଆଁ ଲଗାଇ ହତ୍ୟା କରିଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଏଥିନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୮୭/୧୯) ରୁଜୁ କରି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ ବେତନଟୀ ଥାନା ଅଧୀନ ରେଣୁକାସାହି ଗ୍ରାମର ବିଦ୍ୟାଧର ମହାନ୍ତଙ୍କ ଝିଅ ମନ୍ଦାକିନୀଙ୍କୁ ୨୦୦୫ରେ ଖୁଣ୍ଟା ଥାନା ଅଧୀନ ଲକ୍ଷଣାସାହି ଗ୍ରାମର ଧନୁର୍ଜୟ ମହାନ୍ତ ବିବାହ କରିଥିଲେ। ତାଙ୍କର ୧୩ ବର୍ଷର ପୁଅ ଓ ୭ ବର୍ଷର ଗୋଟିଏ ଝିଅ ଅଛନ୍ତି । ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲେ ମଧ୍ୟ ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ଧନୁର୍ଜୟ ବିଭିନ୍ନ ସମୟରେ ମନ୍ଦାକିନୀଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଉଥିଲେ। ମନ୍ଦାକିନୀଙ୍କ ବାପଘର ଲୋକେ ଲକ୍ଷ୍ମଣାସାହି ଗ୍ରାମକୁ ଯାଇ ଝିଅ ଓ ଜ୍ୱାଇଁଙ୍କୁ ବୁଝାସୁଝା କରି ଫେରୁଥିଲେ। ତେବେ ମଙ୍ଗଳବାର ରାତିରେ ମନ୍ଦାକିନୀ ନିଆଁରେ ପୋଡିହୋଇ ମୃତ୍ୟୁବରଣ କରିଥିବା ଖବର ପାଇ ବାପ ଘର ଲୋକେ ତାଙ୍କ ଶାଶୁଘରେ ପହଞ୍ଚିଥିଲେ। ସେଠାରେ ମନ୍ଦାକୀନି ପୋଡିହୋଇ ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ। ତେବେ ଗତ ରାତିରେ ସମସ୍ତେ ଶୋଇଯିବା ପରେ ମନ୍ଦାକିନୀ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜ୍ୱାଇଁ ଧନୁର୍ଜୟ ସଫେଇ ଦେଇଥିଲେ। ଭିଣୋଇ ଧନୁର୍ଜୟ ତାଙ୍କ ଭଉଣୀଙ୍କୁ ହତ୍ୟା କରିଥିବା ନେଇ ମନ୍ଦାକୀନିଙ୍କ ଭାଇ ଦେବାଶିଷ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଚଳାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ଏସଆଇ ସୌମ୍ୟ ରଞ୍ଜନ ଭୋଳ କହିଛନ୍ତି ।