ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଆକାଶ: ବରିଷ୍ଠ ନାଗରିକଙ୍କୁ ଶ୍ରୀକ୍ଷେତ୍ର ବୁଲାଇଲେ

ପୁରୀ ଅଫିସ, ୧୭ା୯: ସାମ୍ପ୍ରତିକ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହେଲାଣି। ଅଧିକାଂଶ ଲୋକ ବଡ଼ ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କୁ ଏକାଠି କରି ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି। ପୁଣି ପାର୍ଟି ଓ ଡିଜେର ତାଳେ ତାଳେ କେକ୍‌ କାଟି ମଉଜମସ୍ତି ବି କରୁଛନ୍ତି। ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି। ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ସିନେ ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ। ମଙ୍ଗଳବାର ଆକାଶ ଅସହାୟ ବୃଦ୍ଧାବୃଦ୍ଧଙ୍କ ଗହଣରେ ପାଳିଛନ୍ତି ତାଙ୍କର ଜନ୍ମଦିନ। ପରିଣତ ବୟସରେ ପହଞ୍ଚତ୍ଥିବା ୨୦ ଜଣ ବରିଷ୍ଠ ନାଗରିକଙ୍କୁ ସାଥୀରେ ଆଣି ଶ୍ରୀକ୍ଷେତ୍ର ବୁଲାଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରାଇବା ସହ ସେମାନଙ୍କୁ ମହାପ୍ରସାଦ ସେବନ କରାଇଛନ୍ତି।

ପୂର୍ବାହ୍ନରେ ଆକାଶ ଏବଂ ଟିମ୍‌ ଉଡ୍ରର ସ୍ବେଚ୍ଛାସେବୀମାନେ ଭୁବନେଶ୍ୱରସ୍ଥିତ ଶ୍ରୀକ୍ରିଷ୍ଣା ଜରାଶ୍ରମର ୨୦ ଅନ୍ତେବାସୀଙ୍କୁ ଏକ ବସ୍‌ରେ ଆଣି ସମୁଦ୍ର କୂଳରେ ପହଞ୍ଚତ୍ଥିଲେ। ସମୁଦ୍ର କୂଳରେ ପ୍ରାୟ ଦେଢ ଘଣ୍ଟା ବିତାଇଥିଲେ। ଏହାପରେ ଶ୍ରୀମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢା ପରିସର ବିଭିନ୍ନ ମନ୍ଦିର ବୁଲି ବେଶ୍‌ ଖୁସି ହୋଇଥିଲେ ବରିଷ୍ଠ ନାଗରିକ। ଏହାପରେ ସମସ୍ତେ ଆନନ୍ଦ ବଜାରରେ ବସି ମହାଆନନ୍ଦରେ ମହାପ୍ରସାଦ ସେବନ କରି ଫେରିଯାଇଥିଲେ। ଆକାଶଙ୍କ ସହ ତାଙ୍କ ପତ୍ନୀ ଶୁଭ୍ରାଜ୍ୟୋତି, ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଡ୍ରର ୨୦ ଏବଂ ଉଇ ଫର୍‌ ୟୁର ୫ ଜଣ ସଦସ୍ୟ ଆସିଥିଲେ। ଏଭଳି ୧୦ ବର୍ଷ ହେଲା ନିଆରା ଢଙ୍ଗରେ ଜନ୍ମଦିନ ପାଳୁଥିବା ଆକାଶ କହିଛନ୍ତି, ଖୁସି ବାଣ୍ଟିଲେ ବଢେ। କାହା ମୁହଁରେ ଯଦି ଚେନାଏ ହସ ଫୁଟାଇ ପାରିବା ତେବେ ଆମ ଜୀବନ ବି ଆନନ୍ଦମୟ ହୋଇଉଠିବ। ମଦର ଟେରେସା କହିଥିଲେ, ଯଦି ଆପଣ ଶହେ ଜଣଙ୍କୁ ଖୁଆଇ ପାରୁନାହାନ୍ତି ତେବେ ଜଣଙ୍କୁ ଖୁଆଇବା ପାଇଁ ଚେଷ୍ଟା କରନ୍ତୁ। ଏହି ମର୍ମରେ ଯଦି ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଅସହାୟଙ୍କ ମୁହଁରେ ହସ ଫୁଟାଇ ପାରନ୍ତି ତେବେ ଦୁନିଆ ବଦଳିଯିବ ବୋଲି ଆକାଶ କହିଛନ୍ତି।

Share