Advertisement

ନିଆରା ବିବାହ: ହେଲାନି କନ୍ୟାଦାନ ନା ବିଦାୟ

ପାଟନା,୨୫।୬: ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ବିବାହ ସମୟରେ ନବ ବିବାହିତା ଯୋଡି ବେଦୀରେ ସାତଘେରା ବୁଲିବା ସହ ଉଭୟ ପରସ୍ପରଙ୍କୁ ସାତଟି ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ବିହାରର ରାଜଧାନୀ ପାଟନାରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ବିବାହ ସମୟରେ ନବ ଦମ୍ପତି ସାତ ପ୍ରତିଶ୍ରୁତି ଦେବା ବଦଳରେ ସମ୍ବିଧାନରେ ପ୍ରସ୍ତାବନା ଥିବା ସମାନତା, ନୈତିକତା ଓ ସ୍ବାଧୀନତାର ଅଭିବ୍ୟକ୍ତିର ଶପଥ ପାଠ କରିଥିଲେ। ପାଟନାରେ ଅବସ୍ଥିତ ଅନ୍ତଃରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ବିଶେଷଜ୍ଞ ସୁଗନ୍ଧା ମୁନ୍‌ସୀ ଜୁନ ୧୭ରେ ମଧ୍ୟପ୍ରଦେଶର ଛିନ୍ଦଓ୍ବାଡାର ବୈଜ୍ଞାନିକ ଗିରିଶ ମହାଲେଙ୍କୁ ବିବାହ କରିଥିଲେ। ଏହି ବିବାହ ମଧ୍ୟପ୍ରଦେଶର ପଞ୍ଚମଢ଼ୀରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ମରାଠୀ ଓ ପରେ ବିହାରୀ ରୀତିନୀତିରେ ହୋଇଥିଲା। କିନ୍ତୁ ଏହି ବିବାହରେ ନା କନ୍ୟାଦାନ ହୋଇଥିଲା ନା ବିଦାୟ। ବିଦାୟ ବଦଳରେ ଦୁଇ ପରିବାର ମଧ୍ୟରେ ମିଳନ ସମାରୋହ ଅନୁଷ୍ଠିତ ହୋଇଥିଲା। ପିଲାମାନଙ୍କୁ ଉପହାର ବଦଳରେ ଜାତୀୟ ପତାକା ଦିଆଯାଇଥିବା ବେଳେ ବୟସ୍କମାନେ ସାବାଳକ ମତଦାନ ବ୍ୟବସ୍ଥା ସ୍ବରୂପ ଉପହାର ଭେଟି ଦେଇଥିଲେ। ସମାଜରେ ଯେଉଁ ପରିବର୍ତ୍ତନକୁ ଦେଖିବା ପାଇଁ ଚାହୁଁଛନ୍ତି, ତାକୁ ନିଜ ଜୀବନରେ ପ୍ରଥମେ ଆଣିବା ଦରକାର ବୋଲି ସୁଗନ୍ଧା କହିଛନ୍ତି। ଏହି ବିବାହ କେବଳ ପରିବାର ପାଇଁ ନୁହେଁ, ଦେଶ, ରାଜ୍ୟ ଓ ସମାଜ ପାଇଁ ଏକ ବନ୍ଧନ। ଏକ କାର୍ଯ୍ୟକ୍ରମରେ ସୁଗନ୍ଧା ଓ ଗିରୀଶଙ୍କ ସାକ୍ଷାତ ହୋଇଥିଲା। ସେଠାରେ ଦୁଇ ଜଣ ବିବାହ ପାଇଁ ମନ ବଳାଇଥିଲେ। ଏଥିସହ ଦୁଇଜଣ ସମ୍ବିଧାନର ପ୍ରସ୍ତାବନା ସହ ବିବାହ କରିବାକୁ ନିଜ ମା ବାପାଙ୍କ ସମ୍ମୁଖରେ ଏକ ପ୍ରସ୍ତାବ ରଖିଥିଲେ। ଏହାକୁ ଶୁଣି ପ୍ରଥମେ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଥିବା ବେଳେ ପରେ ଏଥିପାଇଁ ରାଜି ହୋଇଯାଇଥିଲେ। ପାଟନାରେ ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share