ନିଆରା ବ୍ୟକ୍ତିତ୍ୱ ଉଜ୍ଜ୍ୱଳ କୁମାର: ବାଣ୍ଟି ଚାଲିଛନ୍ତି ସମାଜସେବାର ବାର୍ତ୍ତା

କେନ୍ଦୁଝର, ୩୦।୯ – ସେବା କାର୍ଯ୍ୟରୁ ଯେଉଁ ଆନନ୍ଦ ମିଳେ, ତାହା ଅବର୍ଣ୍ଣନୀୟ । ଯୁବପିଢ଼ି ସେବା କାର୍ଯ୍ୟ ଲାଗି ଆଗଭର ହେଲେ ସମାଜରେ ପରିବର୍ତ୍ତନ ଆସିବ ବୋଲି କହନ୍ତି ଡ.ଉଜ୍ଜ୍ୱଳ କୁମାର ସାହୁ। ଦୁଃଖୀ, ଦରିଦ୍ର, ନିଃସହାୟଙ୍କ ସେବାରେ ଶେଷ ଜୀବନ ବିତାଇବାକୁ ଲକ୍ଷ୍ୟ ରଖି ସେ ପ୍ରତିମାସ ପାଉଥିବା ପେନ୍‌ସନ ବାବଦ ୧୩ ହଜାର ଟଙ୍କାକୁ ଖର୍ଚ୍ଚ କରି ଚାଲିଛନ୍ତି। ଚାକିରି ଜୀବନ ବିତାଇ ଅବସର ନେବା ପରଠାରୁ ବିଭିନ୍ନ ଅନୁଷ୍ଠାନର ବିକାଶ ସହ ନିୟମିତ ଭାବେ ସେବାକାର୍ଯ୍ୟ କରି ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି।
ଉଜ୍ଜ୍ୱଳଙ୍କ ଘର କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମରେ । ବୟସ ୭୯ ହେବ। ୧୯୬୨ ମସିହାରେ ସେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମାତ୍ର ୮୦ ଟଙ୍କା ଦରମାରେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୬୭ରେ ଶିକ୍ଷକତା ବୃତ୍ତିକୁ ଆଦରି ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ। ସେବେଠାରୁ ସମାଜସେବା କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସେ କାର୍ଯ୍ୟ କରି ଚାଲିଛନ୍ତି। ୧୯୭୨ରେ ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ହୋମିଓପାଥି ବୋର୍ଡରୁ ହୋମିଓପାଥି ବିଦ୍ୟା ହାସଲ କରିଥିଲେ। ସେବେଠାରୁ ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ନିଜ ସକାଶେ ଘର କି ଗାଡି କରିପାରି ନାହାନ୍ତି। ଅତି ନିରାଡମ୍ବର ଭାବେ ଜୀବନ ଅତିବାହିତ କରି ସମାଜସେବାର ବାଣ୍ଟି ଚାଲିଛନ୍ତି। ପାଖରେ ରହୁଥିବା ତାଙ୍କ ସହଧର୍ମିଣୀ ଏଥିଲାଗି ପ୍ରେରଣା ଯୋଗାଉଛନ୍ତି। ଦୁଇ ଝିଅପୁଅଙ୍କ ମଧ୍ୟରୁ ଝିଅ ବାହା ହୋଇ ଯାଇଥିବା ବେଳେ ପୁଅ ମେକାନିକ୍‌ ଭାବେ କାମ କରୁଛନ୍ତି।
ଉଜ୍ଜ୍ୱଳ କହନ୍ତି, ତାଙ୍କ ହାତରେ ବିଶେଷ ସମ୍ବଳ ନ ଥବାରୁ ସେ ପାଉଥିବା ପେନସନ ଅର୍ଥରେ ଦାନଧର୍ମ କରିଆସୁଛନ୍ତି। ଚୁମୁରିଗୋଡା, ଝାରବେଡା, ନିହ୍ନୁଆ, ହାତିବାରୀ, କଇଁଣ୍ଡା, ତ୍ରିବିନ୍ଧା, ତୁରୁମୁଙ୍ଗା ଗାଁ ପାଲଟିଛି ତାଙ୍କ କର୍ମସ୍ଥଳୀ । ନିୟମିତ ଭାବେ ସେ ଏସବୁ ଗାଁକୁ ଯାଇ ଲୋକଙ୍କୁ ଚିକିତ୍ସା କରିଥାନ୍ତି। ଅଭାବରେ ଥିବା ଲୋକଙ୍କୁ ଅନ୍ନ, ବସ୍ତ୍ର, ଔଷଧ ଯୋଗାଇ ଦେଇଥାନ୍ତି। ସ୍ଥାନୀୟ ଦଧିବାମନ ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିରକୁ ସେ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ସହିତ ସ୍ଥାନୀୟ ଶିବ ମନ୍ଦିର ସମେତ ଅନ୍ୟ ମନ୍ଦିରର ବିକାଶ ଲାଗି ଉଦ୍ୟମ କରି ଆସିଛନ୍ତି। ଏଭଳି କାର୍ଯ୍ୟ ଲାଗି ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିିତ ହୋଇଛନ୍ତି । ବରିଷ୍ଠ ସାହିତ୍ୟିକ ତଥା ପରିବେଶବିତ ଡ. ବିମ୍ବାଧର ବେହେରା ଉଜ୍ଜ୍ୱଳ କୁମାର ତାଙ୍କ ଚିନ୍ତାଧାରା ଓ ସେବା କାର୍ଯ୍ୟ ଲାଗି ସମସ୍ତଙ୍କ ଆଦର ଭାଜନ ହୋଇପାରିଛନ୍ତି ବୋଲି କହିଛନ୍ତି। ବର୍ତ୍ତମାନର ବିଧାୟକ ଜଗନ୍ନାଥ ନାୟକ ଉଜ୍ୱଳଙ୍କ ଭଳି ଜଣେ ନିଆରା ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିବା ପରେ ତାଙ୍କର ଅନେକ ପ୍ରଶଂସା କରିଛନ୍ତି।