ନିଆରା ମଣିଷ କାଙ୍ଗାଳି ମହାରଣା:  ନିଶା ଅଭିନୟ ପେସା ଚାଷ

ଚମ୍ପୁଆ,୧।୮(ଡି.ଏନ.ଏ) – ନିଶା ତାଙ୍କର ଅଭିନୟ କିନ୍ତୁ ପେଷାରେ ସେ ଜଣେ ଚାଷୀ। ସେ ହେଉଛନ୍ତି ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ପଞ୍ଚାୟତର ଟିଆଁସପଶି ଗ୍ରାମର କାଙ୍ଗାଳୀ ମହାରଣା। ଛୋଟ ବେଳୁ ଅଭିନୟ ପ୍ରତି ରୁଚି ରଖିଥିବା ଏହି ମଣିଷ ୧୪ ବର୍ଷରୁ ଟିଆଁସପଶି ରାମଲୀଳା କମିଟିରେ ଯୋଗ ଦେଇ ହନୁମାନ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ୧୯୭୪ ମସିହାରୁ ଅଭିନୟ ଆରମ୍ଭ କରି କେନ୍ଦୁଝର, ମୟୁରଭଞ୍ଜ ଓ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାମଲୀଳାରେ କାଙ୍ଗାଳିଙ୍କ ଏହି ହନୁମାନ ଚରିତ୍ର ଓ ଅଭିନୟ ଲୋକଙ୍କ ହୃଦୟକୁ ଛୁଇଁ ଥିବା ବେଳେ ବିଭିନ୍ନ ସ୍ଥାନରେ ସେ ପୁରସ୍କୃତ ହୋଇଛନ୍ତି। ଆର୍ଥକ ଅନାଟନ ସାଙ୍ଗକୁ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ପିତା ଝାଡେଶ୍ୱର ମହାରଣାଙ୍କ ଦେହାନ୍ତ ତାଙ୍କ ପାଠ ପଢାରେ ଡୋରୀ ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ପ୍ରୟ ୭୫ ଗୋଟି ମଣ୍ଡପରେ ନିଜର ପରାକାଷ୍ଠା ଦେଖାଇ ପାରିଛନ୍ତି। ଅଭିନୟ ନିଶା ସହିତ କୌଳିକ ବୃତ୍ତି ଓ ଚାଷ ତାଙ୍କର ଜୀବିକାର ଅନ୍ୟ ଏକ ପନ୍ଥା। ଜଣେ ଭଲ ଚାଷୀ ଭାବେ ପରିଚୟ ସୃଷ୍ଟି କରିଥିବା କାଙ୍ଗାଳି ଏବେ ବି ଅଭିନୟ ଜାରି ରଖିଛନ୍ତି।