Categories: ମେଟ୍ରୋ

ନିଆରା ରଜପାନ

ରଜପାନର ସ୍ବାଦ ସତରେ ନିଆରା। ଏହି ପର୍ବରେ ଭଳିକି ଭଳି ଭିନ୍ନ ସ୍ବାଦର ପାନ ଖୋର୍ଦ୍ଧା ଜିଲା ସାରୁଅ ବଜାରରେ ଗ୍ରାହକଙ୍କର ମନ ମୋହିଥାଏ। ଗୀତର ତାଳେ ତାଳେ ପାନ ଭଙ୍ଗାର ତରିକା ଗ୍ରାହକଙ୍କୁ ଦୋକାନୀ ପାଖକୁ ଟାଣି ଆଣିଥାଏ। ପୋଡ଼ପିଠାର ଚାହିଦା ପରି ପାନର ଚାହିଦା ବି ଏଠାରେ କମ୍‌ ନ ଥାଏ ।

ତ୍କଳୀୟ ସଂସ୍କୃତି ଓ ପରମ୍ପରାର ଗଣପର୍ବ ରଜ। ଗାଁଠାରୁ ସହର ଯାଏଁ ସବୁଠି ଲାଗି ରୁହେ ରଜରେ ମିଠାର ଅନୁଭୂତି। ଝିଅବୋହୂ ମିଳିତ ହୋଇ ପିଠାପଣା ଓ ରଜ ପାନ ଖାଇ ବିଭିନ୍ନ ପଲ୍ଲୀଗୀତ ଗାଇ ଦୋଳି ଖେଳି ରଜ ପାଳନ କରିଥାନ୍ତି। ତେବେ ରଜ ଅବସରରେ ଏବେ ପାନର ଚାହିଦା ବଢ଼ିବାରେ ଲାଗିଛି। ରଜ ପାନର ସ୍ବତନ୍ତ୍ରତା ରହୁଛି। ପାନ ଖାଇବା ଓ ନ ଖାଇବା ଲୋକ ମଧ୍ୟ ରଜ ପାନ ଖାଇ ମଜା ଉଠାଇଥାନ୍ତି। ପୂର୍ବେ ଘରେ, ଖଟିରେ ପାନ କେବଳ ଭଙ୍ଗାଯାଉଥିଲା। ଏବେ ରଜ ଆସିଲେ ଖୋର୍ଦ୍ଧା ନିକଟସ୍ଥ ସାରୁଅ ବଜାରରେ ପ୍ରାୟ ୨୫ ବର୍ଷ ଧରି ପସରା ପଡୁଛି। ସାରୁଅ ବଜାର ଦେଇ ଗଲାବେଳେ ପାନର ପସରା ଦେଖି ଗାଡି, ବାଇକ୍‌, ସାଇକେଲ ଓ ପାଦ ଚଲା ଲୋକ ଅଟକିଯାଏ ରଜ ପାନ କିଣିବା ପାଇଁ। ତେବେ ରଜ ବଜାରରେ ମିଠା ପାନର ଚାହିଦା ଅଧିକ ରହୁଛି। ସାରୁଅ ବଜାରରେ ଅକ୍ଷୟ ଭାଇନା, ମୂଷା ଭାଇନାଙ୍କ ପରି ୧୫ ଦୋକାନ ଗଢ଼ି ଉଠିଛି। ପୂର୍ବରୁ ଏଠାରେ ୭ଟି ପାନଦୋକାନ ଥିବାବେଳେ ରଜ ଉପଲକ୍ଷେ ନୂଆ ୮ଟି ଖୋଲିଛି। ସବୁ ବେଳେ ଏଠାରେ ମିଠାପତ୍ର ବନାରାସୀ ପାନ ବିକ୍ରି ହୁଏ। ତେବେ ରଜକୁ ଦୃଷ୍ଟିରେ ରଖି ଏଠାରେ ସ୍ବତନ୍ତ୍ର ଭାବେ ରଜପାନ ପ୍ରସ୍ତୁତ କରାଯାଏ। ଏଥିପାଇଁ ରଜର ୧୦ଦିନ ପୂର୍ବରୁ କଲିକତା ଯାଇ ମିଠା ପାନ ପତ୍ର ସାଙ୍ଗକୁ ମିଠା ପାନ ମସଲା ଆଣିବାକୁ ପଡିଥାଏ। ଦୋକାନ ଆଗରେ ଗୁଲକନ୍‌, ଚେରୀ, ଜେଲି ଆଦି ୮୦ ପ୍ରକାରର ମିଠା ମସଲା ସଜେଇ ହୋଇ ରହିଛି। ଗୋଟା ପାନରେ ଚନ୍ଦନ, ଧଳା ଖଇର ମାରି ଭଜା ଓ ପାତି ଗୁଆ, ଛୁଞ୍ଚି ଗୁଆ, ପ୍ରସାଦ, ନିଲମ, ଚଟଣୀ, ଲବଙ୍ଗ, ଗୁଜୁରାତି ଓ ହୀରାମୋତି ପରି ମସଲା ପଡୁଛି। ଲବଙ୍ଗ ପାନ, ତ୍ରିଭୁଜ ପାନ, ପୋଡପିଠା ପାନ, ଫାୟାର ପାନ ପରି ନଁା ଅନୁଯାୟୀ ଭିନ୍ନ ଭିନ୍ନ ମସଲା ପଡୁଛି। ସବୁ ପାନର ସ୍ବାଦ ମଧ୍ୟ ଅଲଗା। ଦୋକାନୀଙ୍କ ହାତକୁ ମଧ୍ୟ ଫୁରସତ ନ ଥାଏ। ବର୍ଷର ୪ ଦିନ ଏଠାରେ ରଜ ପାନ ମିଳିଥାଏ। ପ୍ରତି ବ୍ୟବସାୟୀ ରଜ ପାନରେ କେବଳ ୧୦ ହଜାରରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଥାନ୍ତି। ଚଳିତବର୍ଷ ଭଲ ବ୍ୟବସାୟ ଆଶା ରଖି ପାନ ବିକ୍ରି ଆରମ୍ଭ ହୋଇଛି। ଖୋର୍ଦ୍ଧା ସହରର ଗୁରୁଜଙ୍ଗରେ ସନ୍ତୋଷ ପାଇକରାୟ, ଖୋର୍ଦ୍ଧା ବଜାର ଷ୍ଟେଟବ୍ୟାଙ୍କ ଛକ ଭରତ ପଟ୍ଟନାୟକ, ସମବାୟ ଛକରେ ସତ୍ୟନାରାୟଣ ସାହୁ, ଗାନ୍ଧୀ ମାର୍କେଟ ଛକରେ ଲୁନା ସାହୁ, ମ୍ୟୁନିସିପାଲିଟି ରୋଡ ରବି ଜେନାଙ୍କ ଦୋକାନରେ ରଜ ପାନ ମଧ୍ୟ ମିଳୁଛି।
ଲୋକନାଥ ମିଶ୍ର, ଖୋର୍ଦ୍ଧା

Share