ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର

ବାଲିଆପାଳ, ୧୯।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଡଗରା ବେଳାଭୂମିରେ ସମୁଦ୍ରକୁ ଗାଧୋଇବାକୁ ଯାଇ ଭାସିଯାଇଥିବା ୫ଜଣ କଲେଜ ଛାତ୍ରଙ୍କ ମଧ୍ୟରୁ ସୋମବାର ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ପରେ ନିଖୋଜ ଥିବା ଲକ୍ଷ୍ମୀନାରାୟଣ କଲେଜର ଛାତ୍ର ତଥା ସାନଅସ୍ତି ଗ୍ରାମର ଅନୁଭବ ମହାନ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟରେ ଅବହେଳା ଯୋଗୁ ମୃତଦେହକୁ ରାସ୍ତା ଉପରେ ରଖି ଗ୍ରାମବାସୀ ରାସ୍ତାରୋକୋ କରିଥିଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ଏକ ପାୱାର ବୋଟ୍‌ର ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଥିଲେ। ପ୍ରଶାସନ ତରଫରୁ ଉପସ୍ଥିତ ଅତିରିକ୍ତ ତହସିଲଦାର ସସ୍ମିତା ମୁର୍ମୁ ଏବଂ ବାଲିଆପାଳ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।