ନିଖୋଜ ନାବାଳିକାଙ୍କୁ ମିଳିଲା ଘର ଠିକଣା

କେନ୍ଦୁଝର, ୫ା୩ (ସ୍ବ.ପ୍ର.)-୪ବର୍ଷ ତଳେ ନିଖୋଜ ଥିବା ଜଣେ ୧୨ବର୍ଷୀୟା ନାବାଳିକା ଘର ଠିକଣା ପାଇ ମଙ୍ଗଳବାର ବାପା, ଭାଇ ନିକଟକୁ ଫେରିଆସିଛନ୍ତି। ତାଙ୍କୁ ଫେରି ପାଇ ପରିବାର ଲୋକ ଓ ଗ୍ରାମବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।
ଘଟଣାଟି ଏହିପରି। ଉକ୍ତ ନାବାଳିକାଙ୍କ ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକର ଭଗାମୁଣ୍ଡା ଅଞ୍ଚଳରେ। ପିଲା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଯିବାରୁ ସେ ବାପା ଓ ଭାଇ ଙ୍କ ସହିତ ରହୁଥିଲେ। ଥରେ ସେ ବାପା ଓ ଭାଇ ଙ୍କ ସହିତ ନିକଟସ୍ଥ ଗ୍ରାମକୁ ଯାଇଥିବା ବେଳେ ସେଠାରୁ ହଜିଯାଇଥିଲେ। ତାଙ୍କୁ ଜଣେ ମହିଳା ପାଇ କୁଆଡେ ନେଇଯାଇଥିଲେ ବୋଲି କୁହାଯାଉଛି। ସେବେଠାରୁ ସେ କୌଣସି ଏକ ଗ୍ରାମରେ ଜଣଙ୍କ ଘରେ ରହି ହାଣ୍ଡିଆ ବିକି ଚଳୁଥିଲେ। ଗତବର୍ଷ ଅଗଷ୍ଟ ୪ ତାରିଖରେ କାଦକଳା ଗ୍ରାମ ନିକଟ ଏକ ଲୁଗା ଦୋକାନ ପାଖରେ ବସି ସେ କାନ୍ଦୁଥିବା ଅବସ୍ଥାରେ ଗ୍ରାମବାସୀ ଚାଇଲଡ ଲାଇନକୁ ସୂଚନା ଦେଇଥିଲେ। ଚାଇଲଡ ଲାଇନ କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି କେନ୍ଦୁଝର ସ୍ଥିତ ମୁକ୍ତାଶ୍ରୟ କେନ୍ଦ୍ରରେ ଆଣି ଛାଡିଥିଲେ ା ସେ ମୁଣ୍ଡା ଭାଷା ଛଡା ଅନ୍ୟ କିଛି ଭାଷା ଜାଣି ନ ଥିବାରୁ ତାଙ୍କ ଘର ଠିକଣା ଜଣାପଡି ନ ଥିଲା। ପରେ ମୁକ୍ତାଶ୍ରୟ କର୍ତ୍ତୃପକ୍ଷ ତାଙ୍କ ଘର ଭଗାମୁଣ୍ଡା ଅଞ୍ଚଳରେ ଜାଣିବାକୁ ପାଇଥିଲେ। ଏହାପରେ ଶିଶୁ ମଙ୍ଗଳ କମିଟିର ପରାମର୍ଶ କ୍ରମେ ମୁକ୍ତାଶ୍ରୟର ମମତାରାଣୀ ମହାନ୍ତ ଓ ଅବିନାଶ ଦ୍ୱିବେଦୀ ଭଗାମୁଣ୍ଡା ଅଞ୍ଚଳକୁ ଯାଇ ସେଠାରେ ଜଙ୍ଗଲ ରାସ୍ତାରେ ବିଭିନ୍ନ ଗ୍ରାମ ବୁଲିବା ପରେ ପ୍ରକୃତ ଠିକଣା ମିଳିଥିଲା। ଏହାପରେ ତାଙ୍କୁ ତାଙ୍କ ଭାଇଙ୍କୁ ସେମାନେ ଏହି ନାବାଳିକାଙ୍କୁ ହସ୍ତାନ୍ତର କରିଥିଲେ। ଝିଅ ହଜିବା ଦିନ ଠାରୁ ତାଙ୍କ ବାପାଙ୍କ ମାନସିକ ସ୍ଥିତି ଭଲ ନ ଥିଲା ା ଝିଅର ସନ୍ଧାନ ପାଇଁ ସେ ଏଣେତେଣେ ଘୂରି ବୁଲୁଥିଲେ ବୋଲି ଗ୍ରାମବାସୀ କହିଛନ୍ତି।