ନିଖୋଜ ପୁଅର ପତ୍ତା ମିଳୁନି: ପରିବାରବର୍ଗଙ୍କ ରାସ୍ତା ଅବରୋଧ

ରାଇକିଆ,୩।୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ଅଲିମାହା ସାହିର ଶୁଭେନ୍ଦୁ ମଲିକ ଗତ ଜାନୁୟାରୀରୁ ନିଖୋଜ ହୋଇଯାଇଛନ୍ତି। ୧୮ ଦିନ ବିତି ଯାଇଥିଲେ ମଧ୍ୟ ନିଖୋଜ ପୁଅର ପତ୍ତା ମିଳିନାହିଁ। ଏ ନେଇ ପରିବାର ପକ୍ଷରୁ ଜାନୁୟାରୀ ୨୫ ତାରିଖରେ ରାଇକିଆ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ନିଖୋଜ ଯୁବକଙ୍କୁ ଖୋଜି ବାହାର କରିବାରେ ଅବହେଳା କରୁଥିବା ଦର୍ଶାଇ ସୋମବାର ରାଇକିଆ-ବାଲିଗୁଡ଼ା ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିଲା। ଘଟଣାସ୍ଥଳରେ ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା, ଟିକାବାଲି ଥାନାଧିକାରୀ ରେବତୀ ଶବର, ସାରଙ୍ଗଡ଼ ଥାନାଧିକାରୀ ଅନିତା କିଡ଼ୋ, ରାଇକିଆ ଥାନାଧିକାରୀ ସମୀର ରାଉତ ଅବରୋଧକାରୀଙ୍କୁ ବୁଝାଶୁଝା କରିବା ପରେ ଅବରୋଧ ହଟିଥିଲା। ଅନ୍ୟପକ୍ଷରେ ପରିବାର ଲୋକଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ଯେଉଁମାନଙ୍କୁ ସେମାନେ ସନ୍ଦେହ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସ ବିଳମ୍ବ କରୁଛି।

Share