ନିଖୋଜ ବିମାନରେ ଥିଲେ ଓଡ଼ିଆ ପାଇଲଟ୍‌ ସୁନୀତ

ବ୍ରହ୍ମପୁର ଅଫିସ୍‌, ୮ା୬: ଭାରତୀୟ ବାୟୁସେନା (ଆଇଏଏଫ୍‌) ବିମାନ ନିଖୋଜ ହେବାର ୫ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର ପତ୍ତା ମିଳିନାହିଁ। ଉକ୍ତ ବିମାନରେ ଅନ୍ୟମାନଙ୍କ ମଧ୍ୟରେ ଓଡିଆ ପାଇଲଟ ସୁନୀତ୍‌ ମହାନ୍ତି ଥିଲେ। ଆଇଏଏଫ୍‌ର ଏଏନ୍‌-୩୨ ବିମାନ ସୋମବାର ଆସାମ ଜୋରହାଟରୁ ବାହାରି ଅରୁଣାଚଳ ପ୍ରଦେଶ ମେଚୁକା ଯାଉଥିବାବେଳେ ଅପରାହ୍ନ ୧୨ଟା ୩୦ରେ କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏହା ନିଖୋଜ ହୋଇଯାଇଥିଲା। ବିମାନରେ ୮ କ୍ରିଉ ମେମ୍ବରଙ୍କ ସମେତ ମୋଟ ୧୩ଜଣ ଥିଲେ । ବିମାନ ଚାଳକ ଦଳରେ ସାମିଲ ଥିଲେ ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତି। ତାଙ୍କ ଘର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବଳିଆପଲ୍ଲୀ ଗ୍ରାମରେ। ଫ୍ଲାଇଟ୍‌ ଲ୍ୟୁଟ୍‌ନାଣ୍ଟ ସୁନୀତ୍‌ ୨୦୧୨ରେ ବାୟୁସେନାରେ ଯୋଗଦେଇଥିଲେ। ବିମାନରେ ସେ କୋ-ପାଇଲଟ୍‌ ଥିଲେ। ବାୟୁସେନାର ପୂର୍ବତନ କର୍ମଚାରୀ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ପୁଅ ହେଉଛନ୍ତି ସୁନୀତ । ନିଖୋଜ ସମ୍ପର୍କରେ ସୂଚନା ପାଇବା ପରେ ତାଙ୍କ ପରିବାର ବର୍ଗ ଆସାମ ଯାଇଛନ୍ତି । ଇଷ୍ଟର୍ନ ଏୟାର କମାଣ୍ଡ ଏୟାର ମାର୍ଶାଲ ଆର୍‌.ଡି. ମାଥୁରଙ୍କ ସମେତ କେତେଜଣ ଅଧିକାରୀ ନିଖୋଜ ପାଇଲଟଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି। ନିଖୋଜ ବିମାନକୁ ଠାବ କରିବା ପାଇଁ ସ୍ଥଳସେନା, ନୌସେନା ଓ ବାୟୁସେନା ପକ୍ଷରୁ ମିଳିତ ଅଭିଯାନ ଜାରି ରହିଛି। ତେବେ ପ୍ରତିକୂଳ ପାଗ ଏଥିରେ ପ୍ରତିବନ୍ଧକ ସାଜିଥିବା ଜଣାପଡିଛି।

Share