ନିଖୋଜ ବୃଦ୍ଧଙ୍କ ମୃତଦେହ ବୈତରଣୀରୁ ଉଦ୍ଧାର

ଭଣ୍ଡାରିପୋଖରୀ,୪।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ପଞ୍ଚାୟତ ରଘୁନାଥପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ବୁଧବାର ସକାଳେ ବୈତରଣୀ କୂଳରୁ ପୋଲିସ ଜବତ କରିଛି। ସୂଚନାଯୋଗ୍ୟ, ରଘୁନାଥପୁର ଗ୍ରାମର ଦାମୋଦର ବୋଇତାଇ(୮୪) ଗତ ଅଗଷ୍ଟ ୧୮ ତାରିଖ ରବିବାର ପୂର୍ବାହ୍ନରେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଚାରିିଆଡ଼େ ଖୋଜାଖୋଜି କରି ତାଙ୍କର ସନ୍ଧାନ ପାଇ ନ ଥିଲେ। ବୈତରଣୀରେ ପାଣି ଅଧିକ ଥିବାରୁ ବୁଡ଼ିଯାଇଥିବା ସନ୍ଦେହ କରି ଯାଜପୁର ଦମକଳ କେନ୍ଦ୍ରକୁ ଜଣାଇଥିଲେ। ନଦୀରେ ମଧ୍ୟ ଖୋଜାଖୋଜି କରି ନିରାଶ ହୋଇଥିଲେ। ତେବେ ମଙ୍ଗଳବାର ସନ୍ଧ୍ୟାରେ ବୈତରଣୀରେ ଧୀବର ଜାଲ ପକାଉଥିବାବେଳେ ଦାଣ୍ଡକୂଳ ନିକଟ କେଶବ ନଦୀ କୂଳରେ ଏକ ମୃତଦେହ ଲାଗିଥିବା ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାର ହେବା ପରେ ପରିବାର ଲୋକେ ଦାଣ୍ଡକୂଳରେ ପହଞ୍ଚି ମୃତଦେହ ଚିହ୍ନଟ କରି ପୋଲିସକୁ ଜଣାଇଥିଲେ। ବୁଧବାର ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି।

Share