ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ, ୧୫।୮-ରେଳବାଇ ଥାନ ରାମନଗର ରେଳଧରଣା କଡ଼ରୁ ଗୁରୁବାର ସକାଳେ ପୋଲିସ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ ବାସନ୍ତି ପାଣିଗ୍ରାହୀ (୬୨)। ଏ ନେଇ ରେଳବାଇ ପୋଲିସ ନଂ. ୩୧/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ବୈଦ୍ୟନାଥପୁର ଥାନା କମାପଲ୍ଲୀ ସ୍ଥିତ ରାଜାରାଣୀ ଆପାର୍ଟମେଣ୍ଟରେ ବାସନ୍ତି ପୁଅ ଓ ବୋହୂଙ୍କ ସହିତ ରହୁଥିଲେ। ବୁଧବାର ରାତିରୁ ବୃଦ୍ଧା ଜଣଙ୍କ ନିଖୋଜ ହୋଇଯାଇଥିବା ନେଇ ପୁଅ କାଲୁ ଚରଣ ବୈଦ୍ୟନାଥପୁର ଥାନାରେ ଅଭଯୋଗ କରିଥିଲେ। ତେବେ ଗୁରୁବାର ସକାଳୁ ରେଳଧରଣା କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୧ ବର୍ଷ ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ପରେ ବାସନ୍ତି ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଛି।