Categories: ଗଞ୍ଜାମ

ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର

ଆସିକା,୫ା୧୨(ଡି.ଏନ୍‌.ଏ.)-ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ହାଇସ୍କୁଲ ପଛପାର୍ଶ୍ୱ ଧାନ ବିଲରୁ ବୁଧବାର ଅପରାହ୍ନରେ ପୋଲିସ ଏକ କଙ୍କାଳ ଉଦ୍ଧାର କରିଛି। ସେହି ସ୍ଥାନରେ ପଡିଥିବା ପ୍ୟାଣ୍ଟସାର୍ଟ ଓ ଆଧାର କାର୍ଡ ସହ ଫଟୋ ଏବଂ ଏକ ପକେଟଖାତାରୁ ମୃତକ ନଳବଣ୍ଟାର ନାରାୟଣ ଡାକୁଆ (୩୫) ବୋଲି ଚିହ୍ନଟ କରାଯାଇଛି। କଙ୍କାଳକୁ ପୋଲିସ ଜବତ କରି ବ୍ରହ୍ମପୁର ବଡ ମେଡିକାଲ ଏଫଏମଟିକୁ ପଠାଇଛି। ଏ ନେଇ ନାରାୟଣଙ୍କ ବାପା ତାରିଣୀ ଚରଣ ଡାକୁଆଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ପକ୍ଷରୁ ଆସିକା ଥାନାରେ ନଂ.୨୯/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
ପ୍ରକାଶ ଯେ, ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ନାରାୟଣ ଅକ୍ଟୋବର ୨୭ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ କୌଣସି ପତ୍ତା ନ ମିଳିବାରୁ ନଭେମ୍ବର ୧ରେ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ନଂ. ୩୫/୧୯ରେ ଏକ ନିଖୋଜ ମାମଲା ରୁଜୁ କରିଥିଲା। ବୁଧବାର ନଳବଣ୍ଟା ହାଇସ୍କୁଲ ପଛପାର୍ଶ୍ୱ ଜମି ଚାଷ କରିଥିବା ଚାଷୀଜଣକ ଧାନ କାଟିବାକୁ ଯାଇଥିବା ବେଳେ କଙ୍କାଳ, ଆଧାର କାର୍ଡ ଓ ଫଟୋ ପଡିଥିବା ଦେଖିଥିଲେ। ଆଧାର କାର୍ଡଟି ନାରାୟଣଙ୍କ ଜାଣିବା ପରେ ସେ ତାଙ୍କ ପରିବାରକୁ ଦେଇଥିଲେ। ନାରାୟଣଙ୍କ ପରିବାର ଲୋକେ ବିଲରେ ପଡ଼ିଥିବା ସାର୍ଟପ୍ୟାଣ୍ଟ ଓ କାଗଜପତ୍ରକୁ ଆଧାର କରି ମୃତଦେହ ଚିହ୍ନଟ କରିଥିଲେ। ଖବରପାଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ଭାବେ ପୋଲିସ ଅନୁମାନ କରିଛି।