ନିଜକୁ କରୋନା ପଜିଟିଭ୍‌ କହି ଗାଡ଼ିରେ ଆଗରେ ଶୋଇଗଲେ ଯୁବକ

ଲକ୍ଷ୍ନୌ,୧୯।୬: ଦେଶରେ କରୋନା ଭାଇରସ୍‌ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଏଯାଏଁ କୌଣସି ଭ୍ୟାକସିନ୍‌ ବାହାରି ନ ଥିବା ବେଳେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ସରକାର କରୋନାକୁ ନେଇ ସଚେତନ କରୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ କେତେକ ସ୍ଥାନରେ ଗୁଜବ ସୃଷ୍ଟି ହେଉଥିବା ଘଟଣା ସାମ୍ନାକୁ ମଧ୍ୟ ଆସୁଛି। ଇତିମଧ୍ୟରେ ଜଣେ ଯୁବକ ରାସ୍ତା ମଝିରେ ନିଜକୁ କରୋନା ପଜିଟିଭ୍‌ କହି କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି। ଏ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମିରଟରେ। ସୂଚନାଯୋଗ୍ୟ, ମିରଟ ସହରର ବେଗମୁପୁଲ ଛକଠାରେ ଜଣେ ଯୁବକ ଆସି ନିଜକୁ କରୋନା ପଜିଟିଭ୍‌ କହିଥିଲେ। ବାରମ୍ବାର ରାସ୍ତା ମଝିକୁ ଆସି ତାଙ୍କୁ କରୋନା ହୋଇଛି ବୋଲି କହିବା ସହ ଏକ କାର୍‌ ସମ୍ମୁଖରେ ଶୋଇପଡ଼ିଥିଲେ। ଏହା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିଲା। ଏଥିସହ ସେ ସ୍ବାସ୍ଥ୍ୟ ବିଭାଗ ନାଁରେ ଅଭିଯୋଗ ଆଣିଥିଲେ। ସେ କହିଛନ୍ତି, ବାରମ୍ବାର କହିବା ସତ୍ତ୍ୱେ ସ୍ବାସ୍ଥ୍ୟ ବିଭାଗ ତାଙ୍କର କରୋନା ଯାଞ୍ଚ କରୁନାହାନ୍ତି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିବା ସହ ଏକ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ଆମ୍ବୁଲାନ୍ସ ଆସିବା ପରେ ଉକ୍ତ ଯୁବକ ନିଜକୁ ସୁସ୍ଥ ବୋଲି କହିଥିଲେ। ପରେ ପୋଲିସ ତାଙ୍କୁ ଜବରଦସ୍ତି ଆମ୍ବୁଲାନ୍ସରେ ହସ୍ପିଟାଲକୁ ପଠାଇ ଯାଞ୍ଚ କରିବାକୁ ସ୍ବାସ୍ଥ୍ୟକର୍ମୀଙ୍କୁ କହିଥିଲେ। ଅନ୍ୟପଟେ ଉକ୍ତ ଯୁବକଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ସେ ଏଭଳି ନାଟକ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିନ୍ତୁ ପୋଲିସ ଓ ହସ୍ପିଟାଲ ପ୍ରଶାସନ ଏହାକୁ ଗୁରୁତର ନେବା ସହ ଯାଞ୍ଚ କରୁଥିବା ଜଣାପଡ଼ିଛି।

Share