ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ୨ ବର୍ଷ ହେଲା ସରକାରୀ କାର୍ଯ୍ୟାଳୟରେ ଘୁରି ବୁଲୁଛନ୍ତି ମହିଳା

ଭୋପାଳ,୧।୩: ଫିଲ୍ମ କାହାଣୀରେ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସେ ଜୀବିତ ଥିବା ଦେଖିବାକୁ ମିଳିଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ମହିଳାଙ୍କ ଜୀବନ ଏବେ ଫିଲ୍ମ କାହାଣୀ ପାଲଟି ଯାଇଛି। ସରକାରୀ କାଗଜପତ୍ରରେ ସେ ମୃତ ଘୋଷିତ ହୋଇଛନ୍ତି। ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ଦୀର୍ଘ ୨ ବର୍ଷ ହେଲା ସେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଘୁରି ବୁଲୁଛନ୍ତି। ତେବେ ତାଙ୍କୁ ସରକାରୀ ଭାବେ ଏପର୍ଯ୍ୟନ୍ତ ଜୀବିତ ଘୋଷଣା କରାଯାଇ ପାରିନାହିଁ। ସ୍ଥାନୀୟ ରତଲାମ୍‌ର ସ୍ବାତିପୁରାରେ ବାସ କରୁଥିବା ରେଖା ନାମକ ଜଣେ ମହିଳାଙ୍କ କ୍ଷେତ୍ରରେ ଏଭଳି ଘଟିଛି। ୨ ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସେ ପେନସନ୍‌ ପାଇଁ ସରକାରୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ପେନସନ୍‌ ତାଙ୍କୁ ମିଳିପାରିବ ନାହିଁ ବୋଲି ସରକାରୀ ବାବୁ କହିଥିଲେ। ସ୍ଥାନୀୟ ନଗର ନିଗମ କାର୍ଯ୍ୟାଳୟରେ ଥିବା କାଗଜପତ୍ରରେ ସ୍ବାମୀଙ୍କ ସହିତ ରେଖାଙ୍କ ମୃତ୍ୟୁ ଘଟିଥିବା ପଞ୍ଜିକରଣ କରାଯାଇଛି। ଏବେ ବାଧ୍ୟ ହୋଇ ରେଖା ଜନଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଜିଲାପାଳଙ୍କ ତାଗିଦ୍‌ ପରେ ସମ୍ପୃକ୍ତ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ରେଖାଙ୍କୁ ଜୀବିତ ପ୍ରମାଣ ପତ୍ର ଦେବା ପାଇଁ ୧୫ ଦିନ ସମୟ ଲୋଡ଼ିଛନ୍ତି।

Share