Categories: ଖେଳ

‘ନିଜକୁ ହିଁ ଦୋଷ ଦେଇପାରିବେ ପନ୍ତ’

ନୂଆଦିଲ୍ଲୀ,୨୬।୧- ରିଷଭ ପନ୍ତ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପାଇଁ କେବଳ ନିଜକୁ ଦୋଷ ଦେଇପାରିବେ। ତାଙ୍କୁ ଯଥେଷ୍ଟ ସୁଯୋଗ ମିଳିଛି। ମାତ୍ର ସେ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏଭଳି ମତ ଦେଇଛନ୍ତି ପୂର୍ବତନ ଅଧିନାୟକ କପିଳ ଦେବ। ଲୋକେଶ ରାହୁଲ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ସଫଳ ହେବା ପରେ ଦଳରେ ପନ୍ତଙ୍କ ଆବଶ୍ୟକତା ନେଇ ପ୍ରଶ୍ନ ଉଠିଛି। ପନ୍ତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଆହତ ହେବା ପରେ ରାହୁଲଙ୍କୁ ସୁଯୋଗ ମିଳିଥିଲା। ଆଉ ସେ ସୁଯୋଗର ଭରପୂର ଫାଇଦା ଉଠାଇଛନ୍ତି। ଖେଳାଳିମାନେ ନିଜ ଦାୟିତ୍ୱ ନେବା ଦରକାର। ସେମାନେ କଦାପି ଚୟନକର୍ତ୍ତାଙ୍କୁ ବିକଳ୍ପ ଦେବା ଉଚିତ ନୁହେଁ। ପନ୍ତ ଜଣେ ପ୍ରତିଭାଶାଳୀ କ୍ରିକେଟର। ସେ କାହାକୁ ଦୋଷରୋପ କରିପାରିବେ ନାହିଁ। ତାଙ୍କ ନିକଟରେ ଏକମାତ୍ର ବାଟ ଅଛି, ଅଧିକରୁ ଅଧିକ ରନ୍‌ ସଂଗ୍ରହ କରି ନିଜକୁ ପ୍ରମାଣ କରିବା। ସମାଲୋଚକଙ୍କୁ ପ୍ରଦର୍ଶନ ଦ୍ୱାରା ଚୁପ କରାଇବା ପ୍ରତିଭାସମ୍ପନ କ୍ରିକେଟରଙ୍କ କାର୍ଯ୍ୟ ବୋଲି ଏକ ପ୍ରୋମୋଶନାଲ ଇଭେଣ୍ଟ ବେଳେ କହିଛନ୍ତି କିମ୍ବଦନ୍ତୀ ଅଲରାଉଣ୍ଡର କପିଳ। ଉଲ୍ଲେଖଯୋଗ୍ୟ, ପନ୍ତ ୧୫ ଦିନିକିଆରୁ ଗୋଟିଏ ଅର୍ଦ୍ଧଶତକ ସହ ମାତ୍ର ୩୪୬ ରନ୍‌ କରିଛନ୍ତି। ସେହିଭଳି ୨୮ ଟି୨୦ ମ୍ୟାଚ୍‌ ଖେଳି ୨ ଅର୍ଦ୍ଧଶତକ ସହାୟତାରେ ୪୧୦ ରନ୍‌ କରିଛନ୍ତି।

Share