Categories: ଜାତୀୟ

ନିଜର ଅନୁଭୂତି ବଖାଣିଲେ କରୋନାକୁ ହରାଇଥିବା ଦିଲ୍ଲୀର ପ୍ରଥମ ରୋଗୀ

ନୂଆଦିଲ୍ଲୀ,୧୬।୩: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଭାରତରେ ଏପର୍ଯ୍ୟନ୍ତ ୧୧୬ଟି ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇସାରିଛି। ଦେଶର ଅଧିକାଂଶ ରାଜ୍ୟରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ, ସିନେମା ହଲ୍‌, ମଲ୍‌ ଓ ଜିମ୍‌ ବନ୍ଦ ରଖାଯାଇଛି। ଇତିମଧ୍ୟରେ ଭାରତ ପ୍ରଥମ କରୋନା ଭାଇରସ୍‌ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଘରକୁ ଆସିବା ପରେ ସେ ନିଜର ଅନୁଭୂତିକୁ ଶେୟାର କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀର ମୟୁର ବିହାରରେ ରହୁଥିବା ୪୫ ବର୍ଷୀୟ ରୋହିତ ଦତ୍ତା ସଫଦରଜଙ୍ଗ ହସ୍ପିଟାଲରୁ ଶନିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଘରକୁ ଫେରିବା କରୋନା ସହ ତାଙ୍କ ଯାତ୍ରା କିଭଳି ଥିଲା ସେନେଇ ରୋହିତ ପ୍ରକାଶ କରିଛନ୍ତି। ଶରୀରରେ ଏବେ କରୋନା ଭାଇରସ୍‌ ଦୂରେଇ ଯାଇଥିବା ବେଳେ ଏହା ତାଙ୍କ ପାଇଁ ପୁନର୍ଜନ୍ମ ସଦୃଶ ଭଳି ରୋହିତ କହିଛନ୍ତି। ଏଥିସହ ସେ ଆଇସୋଲେଶନ୍‌ ଓ୍ବାର୍ଡର ଅନୁଭବ ବଖାଣିଛନ୍ତି। ସେ କହିଛନ୍ତି, ଆଇସୋଲେଶନ୍‌ ଓ୍ବାର୍ଡ କୌଣସି ଭିଆଇପି ରୁମ୍‌ଠାରୁ କମ୍‌ ନ ଥିଲା। ରୋହିତ ପରିବାରଠାରୁ ଦୂରେଇ ଏକୁଟିଆ ରହୁଥିବାରୁ କଷ୍ଟ ଅନୁଭବ ହେଉଥିଲା। ଥରେ ଥରେ ଭାବୁଥିଲେ ସେ ଆଉ ଫେରିବେ କି ନାହିଁ। ଯେତେେବେଳ ମନ ଅସ୍ଥିର ଲାଗୁଥିଲା ସେତେବେଳେ ଉକ୍ତ ଓ୍ବାର୍ଡରୁ ମୋବାଇଲ୍‌ରେ ପରିବାରଲୋକଙ୍କ ସହ କଥା ହେଉଥିଲେ। ଏଥିସହ ଆଇସୋଲେଶନ୍‌ ଓ୍ବାର୍ଡରେ ରୋହିତ ଫିଲ୍ମ ଦେଖିବା ସହ ବହି ମଧ୍ୟ ପଢ଼ୁଥିଲେ। ଚିକିତ୍ସା ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଭିଡିଓ କଲ୍‌ କରି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ଭଲ ଲାଗିଥିଲା। ତେବେ ସମୟକ୍ରମେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଡାକ୍ତର ପୁଣି ଥରେ ତାଙ୍କର ରକ୍ତ ନମୂନା ପରୀକ୍ଷା କରାଇଥିଲେ। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ଏଥିସହ ତାଙ୍କୁ ୧୪ ଦିନ ପାଇଁ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ତେବେ କରୋନାକୁ ଭୟ ନ କରି ସାବଧାନତା ଅବଲମ୍ବନ କରନ୍ତୁ ବୋଲି ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କରୋନା ସହ ଲଢ଼ି ପୁଣି ଥରେ ଜୀବନ ଜିଇଁ ହେବ। ଯାହାର ଜ୍ୱଳନ୍ତ ଉଦାହରଣ ସେ ନିଜେ ବୋଲି ରୋହିତ କହିଛନ୍ତି।

Share