Categories: ଖେଳ

ନିଜର ସମସ୍ତ ହୋଟେଲକୁ ମେଡିକାଲରେ ବଦଳିବେ ରୋନାଲ୍ଡୋ

ଲିସବନ,୧୬।୩- ବିଶ୍ୱକୁ ଘାରି ଥିବା କରୋନା ଭାଇରସ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛନ୍ତି ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ। ନିଜର ସମସ୍ତ ହୋଟେଲକୁ ମେଡିକାଲରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରୋନାଲ୍ଡୋ। ସେଥିରେ କରୋନା ଅକ୍ରାନ୍ତଙ୍କ ଚିକିତ୍ସା କରାଯିବ। ମାଗଣାରେ ଏହି ସୁବିଧା ପ୍ରଦାନ କରାଯିବ ବୋଲି ସ୍ପାନିଶ ଖବରକାଗଜ ମାର୍କାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ମେଡିକାଲର କର୍ମକର୍ତ୍ତା ଓ ଡାକ୍ତରଙ୍କ ଦରମା ଲାଗି ଜୁଭେଣ୍ଟସ ଷ୍ଟାର ଖର୍ଚ୍ଚ କରିବେ। ସ୍ପେନର ଅଗ୍ରଣୀ ଖବରକାଗଜ ଏହି ଖବର ପ୍ରକାଶ କରିଥିବାବେଳେ ପର୍ତ୍ତୁଗାଲ ଜର୍ନାଲିଷ୍ଟ ଫିଲିପେ କାଟାନୋ ଏହାକୁ ଉଡା ଖବର ବୋଲି କହିଛନ୍ତି। ନିକଟରେ ରୋନାଲ୍ଡୋ ନିଜ ଫ୍ୟାନ ଓ ଜନସାଧାରଣଙ୍କ ଲାଗି ଏକ ଭାବବିହ୍ବଳ ବାର୍ତ୍ତା ଦେଇଥିଲେ। ସେଥିରେ ସେ ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ (ଡବ୍ଲୁଏଚ୍‌ଓ) ଦ୍ୱାରା ଜାରି ନିୟମକୁ ମାନିବାକୁ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ, ଜୁଭେଣ୍ଟସ ଦଳର ଜଣେ ଖେଳାଳି କରୋନାରେ ପୀଡ଼ିତ ଥିବା ରିପୋର୍ଟ ଆସିବା ପରେ ରୋନାଲ୍ଡୋଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏବେ ଦଳର ୧୧ ଜଣଙ୍କ ସ୍ବାବ ରିପୋର୍ଟ ପଜେଟିଭ ଥିବା ଜଣାପଡ଼ିଛି।

Share