ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶ ପାଇଁ କିଏ ଦେଇଥିଲେ ଅନୁମତି: ଶରଦ ପାଓ୍ବାର

ନୂଆଦିଲ୍ଲୀ,୬।୪: ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ତବଲିଘ୍‌ ଜମାତ୍‌ ଯୋଗୁ ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ଏବେ ରାଜନୈତିକସ୍ତରରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ଏଠାରେ ଧାର୍ମିକ ସମାବେଶ ଆୟୋଜନ କରିବା ଲାଗି ଆୟୋଜକଙ୍କୁ କିଏ ଅନୁମତି ଦେଇଥିଲେ ବୋଲି ସୋମବାର ଏନସିପି ପକ୍ଷରୁ ଶରଦ ପାଓ୍ବାର ପ୍ରଶ୍ନ କରିଛନ୍ତି। ସେ ଫେସବୁକ୍‌ ଲାଇଭ୍‌ରେ ଏଭଳି ପ୍ରଶ୍ନ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅନୀଲ ଦେଶମୁଖ ମୁମ୍ବାଇ ନିକଟରେ ଓ ସୋଲାପୁରଠାରେ ଏଭଳି ସମାବେଶ ଲାଗି ଅନୁମତି ଦେଇ ନ ଥିଲେ। ସୋଲାପୁରରେ ଆୟୋଜକ ସରକାରୀ ଆଦେଶକୁ ନ ମାନିବାରୁ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ମାତ୍ର ନିଜାମୁଦ୍ଦିନ୍‌ରେ ଏଭଳି ସମାବେଶ ସହଜରେ ଅନୁଷ୍ଠିତ ହୋଇଥିଲା। ମହାରାଷ୍ଟ୍ରରେ ଉଦ୍ଧବ ସରକାର ଏଭଳି ସମସ୍ୟାର ସହଜ ସମାଧାନ କରିଥିବାବେଳେ ଦେଶର ରାଜଧାନୀରେ ବହୁଲୋକଙ୍କ ସମାବେଶକୁ କିଭଳି ରୋକା ଯାଇପାରିଲା ନାହିଁ ତାହା ଶରଦ ପ୍ରଶ୍ନ କରିଛନ୍ତି। ଜମାତ୍‌ରେ ଯୋଗଦେଇଥିବା ଲୋକ ଦେଶର ବିଭିନ୍ନ ଅଞ୍ଚଳକୁ ଯାଇଛନ୍ତି। ଏହାଦ୍ୱାରା ସଂକ୍ରମଣ ବଢ଼ିଥିବା ସେ କହିଛନ୍ତି।

Share