ନିଜାମୁଦ୍ଦିନ୍‌ ଧର୍ମସଭାରେ ଥିଲେ କୋରାପୁଟର୨

ଜୟପୁର,୧ା୪(ନି.ପ୍ର./ଡି.ଏନ୍‌.ଏ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ ଧର୍ମସଭାରେ ଦେଶବିଦେଶରୁ ଲୋକ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହି ସଭାରେ ଓଡ଼ିଶାର ୧୫ଜଣ ଯୋଗ ଦେଇଥିବାବେଳେ କୋରାପୁଟ ଜିଲାର ଜୟପୁର ଏବଂ କୋଟପାଡ଼ ଅଞ୍ଚଳର ୨ ବ୍ୟକ୍ତି ଯୋଗଦେଇଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜୟପୁର ବାସିନ୍ଦାଙ୍କୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର୍‌ଠାରେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଗୁଣ୍ଟୁର୍‌ ଜିଲା ପ୍ରଶଶସନ ଓ ପୋଲିସକୁ ଯୋଗାଯୋଗ କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଅନ୍ୟାନ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ସେହିପରି କୋଟପାଡ଼ ଅଞ୍ଚଳର ବ୍ୟକ୍ତିଙ୍କୁ ଦିଲ୍ଲୀସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଉଭୟଙ୍କ ଉପରେ ପ୍ରଶାସନ ନଜର ରଖିଥିବା କୁହାଯାଇଛି। ଏଥିସହ ଜିଲାକୁ ନ ଆସି ସେଠାରେ ୧୪ ଦିନ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ଜିଲାପାଳ କହିଛନ୍ତି। କୌଣସି ପରିସ୍ଥିତିରେ ଘରକୁ ଫେରିଲେ ଜିଲା ପ୍ରଶାସନକୁ ସୂଚନା ଦେବାପାଇଁ ଉଭୟ ପରିବାରକୁ ପରାମର୍ଶ ଦିଆଯାଇଛି।

Share