ନିଜାମୁଦ୍ଦିନ କରୋନା ହଟ୍‌ସ୍ପଟ : ଓଡ଼ିଶାରୁ ୧୫ ଯୋଗଦେଇଥିବା ଚର୍ଚ୍ଚା

ଭୁବନେଶ୍ୱର,୧।୪(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ଙ୍କ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ ଯୋଗଦେଇଥିତ୍ବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତପକ୍ଷେ ଓଡ଼ିଶାରୁ କେତେଜଣ ଯାଇଥିଲେ ତାହା ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ। ଏନେଇ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି, ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସରକାର ଅବଗତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଚିହ୍ନଟ କରାଯାଇ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକ ଓ ଅନ୍ୟମାନଙ୍କୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଏମାନଙ୍କ ବ୍ୟତୀତ ସେଠାକୁ ଯାଇଥିବା ଅନ୍ୟମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଥିବା ବାଗ୍‌ଚୀ କହିଛନ୍ତି।
ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୪୭୩ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି। ଆଉ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ପୂର୍ବଭଳି ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ସ୍ଥିର ରହିଛି। ପ୍ରଥମ ୨ଟି ପଜିଟିଭ୍‌ଙ୍କ ସଂସ୍ପର୍ଶରେ ୫୫ଜଣ ଓ ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଚିହ୍ନଟ କରାଯାଇଛି। ୫୭ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ହସ୍ପିଟାଲ ଆଇସୋଲେଶନରେ ରହିଥିବାବେଳେ ଅନ୍ୟମାନଙ୍କ ସହ ଯୋଗାଯୋଗ ଚାଲିଛି। ଆଜିପର୍ଯ୍ୟନ୍ତ ମୋଟ ୧୧,୫୭୫ ଜଣ ଫେରନ୍ତା ଅନ୍‌ଲାଇନ୍‌ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪,୩୦୪ ଜଣ ବିଦେଶରୁ ଆସିଥିବା ବାଗ୍‌ଚୀ ସୂଚନା ଦେଇଛନ୍ତି।

Share