ନିଜାମୁଦ୍ଦିନ ଧର୍ମସଭା ଖୋଳତାଡ଼: ପୁରୀ ଜିଲାର ଯୋଗଦେଇଥିଲେ ୩

ପୁରୀ ଅଫିସ,୨ା୪: କରୋନାକୁ ନେଇ ବିଶ୍ୱ ଥରହର। ଦିନକୁ ଦିନ ଅଧିକ ଉଗ୍ରରୂପ ଧାରଣ କରି ନୂଆ ନୂଆ ଦେଶକୁ ମାଡ଼ୁଛି ଏହି ପ୍ରାଣଘାତୀ ଭୂତାଣୁ । କରୋନା କବଳରୁ ରକ୍ଷା ପାଇବା ବିଶ୍ୱବାସୀ ତ୍ରାହି ତ୍ରାହି ଡାକୁଛନ୍ତି। ଭାରତରେ ବି ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେ ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ ଡାଉନ ଜାରି ରହିଛି। ଏଭଳିସ୍ଥିତିରେ ଦେଶବାସୀଙ୍କ ଆଖିରୁ ନିଦ ହଜାଇଛି ନୂଆଦିଳ୍ଲୀର ନିଜାମୁଦ୍ଦିନ ଧର୍ମସଭା। ଏହାକୁ ନେଇ ସମଗ୍ର ଦେଶ ଏବେ ଭୟଭୀତ। ଏଥିରେ ଯୋଗଦେଇଥିବା ଲୋକମାନଙ୍କଠାରେ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢିଯାଇଛି। ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସତର୍କ କରାଇଥିବାବେଳେ ଏହାକୁ ନେଇ ପୁରୀ ଜିଲାରେ ଖୋଳତାଡ଼ କରୁଛି ଜିଲା ପ୍ରଶାସନ। ଏହି ଧର୍ମ ସଭାରେ ଜିଲାରୁ ବହୁ ସଂଖ୍ୟକ ଯୋଗଦେଇଥିବା ନେଇ ଚର୍ଚ୍ଚା ହେବା ପରେ ପ୍ରଶାସନିକ ଅଧିକାରୀ ବିଭିନ୍ନ ଅଞ୍ଚଳକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି । ତେବେ ଏହି ଧର୍ମ ସଭାରେ ୩ଜଣ ଯୋଗଦେଇଥିବା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।
ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ନେଇ ବୁଧବାର ପ୍ରଶାସନିକ ଅଧିକାରୀ ଅସ୍ତରଙ୍ଗ ବ୍ଲକ ଏବଂ ଗୋପ ବ୍ଲକର କିଛି ଅଞ୍ଚଳକୁ ଯାଇ ପଚରାଉଚରା କରିଥିଲେ। ଯେଉଁମାନେ ଯାଇଥିଲେ ବୋଲି ଶୁଣିବାକୁ ପାଇଥିଲେ ସେମାନଙ୍କ ଯାତ୍ରାର ବିବରଣୀ ଆଦି ବିଷୟରେ ଖୋଳତାଡ଼ କରିଥିଲେ। ଫଳରେ ଏହାକୁ ନେଇ ଲୋକଙ୍କ ଭିତରେ ଏକପ୍ରକାର ଭୟର ବାତାରବଣ ସୃଷ୍ଟି ହୋଇଥିବା ବେଳେ ଗୁରୁବାର ଏ ସମ୍ପର୍କରେ ଜିଲାପାଳ ସ୍ପଷ୍ଟ ସୂଚନା ଦେଇଛନ୍ତି । ଜିଲାପାଳ କହିଛନ୍ତି, ନିଜାମୁଦ୍ଦିନ ଧର୍ମସଭାରେ ମାର୍ଚ୍ଚ ୨୬ ତାରିଖରେ ପୁରୀ ଜିଲାର କାକଟପୁର, ପିପିଲି ନିମାପଡ଼ାରୁ ଜଣେ ଲେଖାଏ ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରୁ କାକଟପୁର ଓ ପିପିଲିର ଦୁଇଜଣ ବ୍ୟକ୍ତି ଦିଲ୍ଲୀରେ କ୍ବାରାଣ୍ଟାଇନରେ ରହିଛନ୍ତି। ନିମାପଡ଼ାର ଜଣେ ବ୍ୟକ୍ତି ଦିଲ୍ଲୀରୁ ପଶ୍ଚିମବଙ୍ଗ ଯାଇଛନ୍ତି। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଅବଗତ କରାଯାଇଛି। ତେବେ ସମସ୍ତ ଘଟଣା ଉପରେ ନଜର ରଖାଯାଇଛି ବୋଲି ଜିଲାପାଳ କହିଛନ୍ତି।

Share