ନୂଆଦିଲ୍ଲୀ,୧୫-୫: ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନ ଏହାର କର୍ମଚାରୀଙ୍କୁ ଏକ ଅଦ୍ଭୁତ ପ୍ରସ୍ତାବ ଦେଇଛି। ଗ୍ରାହକଙ୍କ ନିକଟରେ ସାମଗ୍ରୀକୁ ଯଥାଶୀଘ୍ର ପହଞ୍ଚାଇବା ଲକ୍ଷ୍ୟରେ କମ୍ପାନୀ ଏଭଳି ପ୍ରସ୍ତାବ ଦେଇଥିବା କୁହାଯାଉଛି। କର୍ମଚାରୀମାନେ ଆମାଜନର ଚାକିରି ଛାଡ଼ି କମ୍ପାନୀର ପ୍ୟାକେଜ ଡେଲିଭରୀ ବ୍ୟବସାୟ ଆରମ୍ଭ କରିବାକୁ କୁହାଯାଇଛି। କମ୍ପାନୀ ଏହି କାମ ଲାଗି କର୍ମଚାରୀଙ୍କୁ ଅର୍ଥ ସହାୟତା କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆମାଜନ ପ୍ରାଇମ ମେମ୍ବର୍ସଙ୍କ ଡେଲିଭରୀ ଟାଇମକୁ ଦୁଇ ଦିନରୁ ହ୍ରାସ କରି ଗୋଟିଏ ଦିନ କରିବା ଲାଗି କମ୍ପାନୀ ପ୍ରୟାସ କରୁଛି। ଏଭଳି ପ୍ରୋତ୍ସାହନ ପ୍ରୟାସ ଦ୍ୱାରା ଗ୍ରାହକଙ୍କ ନିକଟରେ ଖୁବଶୀଘ୍ର ସାମଗ୍ରୀ ପହଞ୍ଚାଇ ହେବ ବୋଲି କମ୍ପାନୀ ମନେ କରୁଛି। ଆମାଜନ ପକ୍ଷରୁ ଅଫର୍ ଘୋଷଣା କରି କୁହାଯାଇଛି ଯେ, କମ୍ପାନୀର ଚାକିରି ଛାଡ଼ି ଯେଉଁ କର୍ମଚାରୀ ଡେଲିଭରୀ ବ୍ୟବସାୟ ଆରମ୍ଭ କରିବେ, କମ୍ପାନୀ ପକ୍ଷରୁ ତାଙ୍କୁ ୧୦ ହଜାର ଡଲାର(ପ୍ରାୟ ୭ ଲକ୍ଷ ଟଙ୍କା)ର ସହାୟତା ପ୍ରଦାନ କରାଯିବ। ଏଥିସହିତ କର୍ମଚାରୀଙ୍କୁ ୩ ମାସର ବେତନ ମଧ୍ୟ ଦିଆଯିବ। ଉଭୟ ପାର୍ଟଟାଇମ ଏବଂ ଫୁଲଟାଇମ କର୍ମଚାରୀଙ୍କ ଲାଗି ଏହି ପ୍ରସ୍ତାବ ଦିଆଯାଇଛି। ଆମାଜନର ଅର୍ଡରକୁ ପ୍ୟାକ୍ କରିବା ସହ ଉଲ୍ଲିଖିତ ଠିକଣାରେ ପଠାଉଥିବା ଓ୍ବେରହାଉସ କର୍ମଚାରୀଙ୍କୁ ମଧ୍ୟ ଏହି ପ୍ରସ୍ତାବ ଦିଆଯାଇଛି।