Categories: ଜାତୀୟ

ନିଜ ଘରକୁ ହସ୍ପିଟାଲ କରିବାକୁ ପ୍ରସ୍ତାବ ଦେଲେ କମଲ ହାସନ

ନୂଆଦିଲ୍ଲୀ,୨୬ା୩: ତାମିଲ ସୁପରଷ୍ଟାର ତଥା ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ତାଙ୍କ ଚେନ୍ନାଇସ୍ଥିତ ପୂର୍ବ ବାସଭବନକୁ ଅସ୍ଥାୟୀ ହସ୍ପିଟାଲରେ ପରିଣତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଉକ୍ତ ବାସଭବନ ଏବେ ତାଙ୍କ ପାର୍ଟି ମକ୍କାଲ ନିଧି ମାଏମ (ଏମ୍‌ଏନ୍‌ଏମ୍‌) ଦ୍ୱାରା ବ୍ୟବହାର ହେଉଛି। ସେ ଏକ ଟୁଇଟ୍‌ କରି ଏ ସମ୍ପର୍କରେ ଜଣାଇବା ସହ ସରକାରଙ୍କ ଅନୁମତି ପାଇବା ପରେ ତାହା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏପରି ସଙ୍କଟ ସମୟରେ ଯେଉଁମାନେ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ସଂଗ୍ରାମ କରୁଛନ୍ତି ସେମାନଙ୍କୁ ସହାୟତା କରିବାକୁ ସେ ଘୋଷଣା କରିଛନ୍ତି। ହାସନଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସକ ଓ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମଙ୍ଗଳବାର ରାତିରେ ୨୧ ଦିନ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ବୁଧବାର କମଲ ହାସଲ ତାମିଲରେ ଏକ ଟୁଇଟ୍‌ କରି କହିଥିଲେ ଯେ, ଦୈନିକ ମଜୁରିଆମାନେ ଏହି ୨୧ ଦିନ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ କେଉଁଠିକୁ ଯିବେ ତାହା ସରକାର ଚିନ୍ତା କରିବା ଆବଶ୍ୟକ। ସେମାନଙ୍କ ଦୁର୍ଦ୍ଦଶାକୁ ଅଣଦେଖା କରା ନ ଯାଉ। ଏବେ କେବଳ ଧନୀ ଉଦ୍ୟୋଗପତିଙ୍କୁ ସାହାଯ୍ୟ କରିବାର ସମୟ ନାହିଁ। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ସବୁବେଳେ ଆମ ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇ ରଖିଛନ୍ତି। ଯେଉଁମାନେ ତାହାକୁ ଅଣଦେଖା କରିଛନ୍ତି ସେମାନେ ନିଜର ସ୍ଥିତି ହରାଇ ଦେଇଛନ୍ତି। ଏହା ଇତିହାସ ବୋଲି ହାସନ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।
ସୂଚନାଥାଉ କି ୬୫ ବର୍ଷୀୟ ହାସନ ଓ ତାଙ୍କ ସାନ ଝିଅ ଅକ୍ଷରା ବର୍ତ୍ତମାନ ଚେନ୍ନାଇରେ ଅଲଗା ଅଲଗା ଘରେ ରହୁଛନ୍ତି। ତାଙ୍କ ବଡ଼ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ ୧୦ ଦିନ ତଳେ ଲଣ୍ଡନରୁ ଫେରିବା ପରେ ଏକାକୀ ମୁମ୍ବାଇର ଏକ ଘରେ କ୍ୱାରାଣ୍ଟାଇନରେ ରହୁଥିବା ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେହିପରି ହାସନଙ୍କ ଧର୍ମପତ୍ନୀ ସାରିକା ମୁମ୍ବାଇର ଆଉ ଏକ ଘରେ ଏକାକୀ ରହୁଛନ୍ତି।

Share