ନିଜ ଦେଶରେ ବାସହରା ହୋଇଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଶିଶୁ

ନ୍ୟୁୟକ, ୭ା୫: ନିଜ ଦେଶରେ ବାସହରା ହୋଇଛନ୍ତି ଲକ୍ଷ ଲକ୍ଷ ଶିଶୁ। ପୁଣି ବର୍ଷକ ମଧ୍ୟରେ। ୨୦୧୯ରେ ପୃଥିବୀର ବିଭିନ୍ନ ଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ବିସ୍ଥାପିତ ହୋଇଛନ୍ତି। ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛିି। ‘ଲଷ୍ଟ୍‌ ଆଟ୍‌ ହୋମ’ ରିପୋର୍ଟରେ ଦର୍ଶାଯାଇଛି ଯେ, ଆଭ୍ୟନ୍ତରୀଣ ସଙ୍କଟ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏଭଳି ଘଟିଛି। ତେବେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅଧିକ ଲୋକ ବାସହରା ହୋଇଥିବା ରିପୋର୍ଟରେ କୁହାଯାଇଛି। ଭାରତ, ବାଂଲାଦେଶ, ଫିଲିପାଇନ୍ସ୍‌ ଏବଂ ଚାଇନାରେ ବିଭିନ୍ନ କାରଣରୁ ଅଧିକ ଲୋକଙ୍କୁ ବେଘର କରିଛି। ୩୮ ଲକ୍ଷ ଶିଶୁ ହିଂସାକାଣ୍ଡ ଯୋଗୁ ବାସହରା ହୋଇଥିବାବେଳେ ୮୨ ଲକ୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇ ଭିଟାମାଟି ଛାଡିଛନ୍ତି। ଏସବୁ ଶିଶୁଙ୍କ ଯୋଗୁ ଆଗାମୀ ଦିନରେ ଶିଶୁ ଶ୍ରମିକ ଏବଂ ବାଲ୍ୟ ବିବାହ ଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ବିସ୍ଥାପିତ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ବିପନ୍ନ ହେବାରେ ଲାଗିଛି। ୨୦୧୯ରେ ପୃଥିବୀରେ ୩କୋଟି ୩୦ ଲକ୍ଷ ଲୋକ ବାସହରା ହୋଇଥିବାବେଳେ କେବଳ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୨ କୋଟି ୫୦ ଲକ୍ଷ ବାସସ୍ଥାନ ଛାଡ଼ିଛନ୍ତି। ସେହିପରି ୮୫ ଲକ୍ଷ ଆଭ୍ୟନ୍ତରୀଣ ହିଂସାକାଣ୍ଡ ଯୋଗୁ ଘର ଛାଡିଛନ୍ତି। ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଞ୍ଚଳରେ ୧ କୋଟିରୁ ଅଧିକ ଲୋକ ବାସସ୍ଥାନ ଛାଡ଼ି ପଳାୟନ କରିଛନ୍ତି। ଭାରତରେ ୨୦୧୯ରେ ବିଭିନ୍ନ କାରଣରୁ ୫୦ ଲକ୍ଷ ୩୭ ହଜାର ଲୋକ ବାଧ୍ୟ ହୋଇ ନିଜର ବାସସ୍ଥାନ ଛାଡ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ସେଥିମଧ୍ୟରୁ କେବଳ ୫୦ ଲକ୍ଷ ୧୮ ହଜାର ଲୋକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବାସ ହରାଇ ବସିଛନ୍ତି। ଅପରପକ୍ଷରେ ୧୯ ହଜାର ଲୋକ ହିଂସାକାଣ୍ଡ ଯୋଗୁ ଘର ଛାଡ଼ିଛନ୍ତି। ଫିଲିପାଇନ୍ସରେ ୪୨ ଲକ୍ଷ ୭୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ବାଂଲାଦେଶରେ ୪୦ ଲକ୍ଷ ୮୦ ହଜାର ଏବଂ ଚାଇନାରେ ୪୦ ଲକ୍ଷ ୩୦ ହଜାର ଲୋକ ଭିଟାମାଟି ଛାଡ଼ିଛନ୍ତି। ୨୦୧୯ ଶେଷ ସୁଦ୍ଧା ପୃଥିବୀର ୪ କୋଟି ୬୦ ଲକ୍ଷ ଲୋକ ନିଜ ଦେଶରେ ବାସହରା ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାମାରୀ କରୋନା ସଂକ୍ରମଣ ସମୟରେ ଭିଟାମାଟି ଛାଡିଥିବା ସଭିଙ୍କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ବିସ୍ଥାପିତଙ୍କ ସୁରକ୍ଷା ପାଇଁ ଇତିମଧ୍ୟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।

Share