ନିଜ ରାଜ୍ୟକୁ ଯିବେ ୟୁପିର ୧୫ଶହ ପ୍ରବାସୀ: ୨୦ରେ ସମ୍ବଲପୁରରୁ ବାହାରିବ ସ୍ବତନ୍ତ୍ର ଟ୍ରେନ୍‌

ସମ୍ବଲପୁର, ୧୮।୫ (ବ୍ୟୁରୋ): ସମ୍ବଲପୁର ଷ୍ଟେଶନରୁ ଆସନ୍ତା ୨୦ ତାରିଖ ଏକ ସ୍ବତନ୍ତ୍ର ଟ୍ରେନ୍‌ ଉତ୍ତରପ୍ରଦେଶ ଯିବାକୁ ସ୍ଥିର କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଏ ନେଇ ସମସ୍ତ ବ୍ୟବସ୍ଥା କରିଛି। ସମ୍ବଲପୁର ଷ୍ଟେଶନରୁ ଏହି ଟ୍ରେନ୍‌ ୨୦ ତାରିଖ ସକାଳ ପ୍ରାୟ ୯ଟାରେ ଉତ୍ତରପ୍ରଦେଶର ବାରାଣାସୀ ଅଭିମୁଖେ ଛାଡ଼ିବ। ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ ଫସି ରହିଥିବା ପ୍ରାୟ ୧୫ ଶହ ପ୍ରବାସୀ ଉତ୍ତରପ୍ରଦେଶ ଯିବେ। ଏଥିପାଇଁ ସେମାନେ ପୂର୍ବରୁ ନିଜ ନାଁ ପଞ୍ଜୀକରଣ କରିସାରିଛନ୍ତି। ପ୍ରାୟ ୭୦ଟି ବସ୍‌ରେ ପୂର୍ବ ଦିନରୁ ଏମାନେ ବୁର୍ଲାରେ ପହଞ୍ଚତ୍ବେ। ଭିସୁଟ୍‌ ପରିସରରେ ସେମାନଙ୍କୁ ଆଶ୍ରୟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ହୀରାକୁଦ ଏସ୍‌ଡିପିଓ ଶିଶୁରଞ୍ଜନ ମହାପାତ୍ର ଆଶ୍ରୟସ୍ଥଳରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ସେମାନେ କିଭଳି ଭାବେ ଆଶ୍ରୟସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ କରୋନା କଟକଣା ପାଳନ କରି ରହିବେ ସେ ନେଇ ପୋଲିସ ସଜାଗ ରହିଥିବା ଏସ୍‌ଡିପିଓ ମହାପାତ୍ର କହିଛନ୍ତି।
ସୋମବାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ସମ୍ବଲପୁର ଷ୍ଟେଶନରେ ପହଞ୍ଚତ୍ଥିଲେ। ସେଠାରେ ପ୍ରବାସୀମାନେ କିଭଳି ଭାବେ ସାମାଜିକ ଦୂରତା ପାଳନ କରି ଲାଇନରେ ଛିଡା ହୋଇ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଟ୍ରେନ୍‌ ଚଢିବେ ସେ ନେଇ ଏସ୍‌ପି ସମୀକ୍ଷା କରିଛନ୍ତି। ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି, ଅଇଁଠାପାଲି ଥାନା ଅଧିକାରୀ ଯୋଗେଶ ପଣ୍ଡା ଓ ଆରପିଏଫ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଫସି ରହିଥିବା ପ୍ରବାସୀଙ୍କୁ ନିଜ ରାଜ୍ୟକୁ ନେବା ପାଇଁ ଉତ୍ତରପ୍ରଦେଶ ସରକାର ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗ କରିଥିଲେ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସୁବିଧା ଦୃଷ୍ଟିରୁ ସମ୍ବଲପୁର ଷ୍ଟେଶନରୁ ସ୍ବତନ୍ତ୍ର ଟ୍ରେନ୍‌ରେ ଏମାନଙ୍କ ଯିବାପାଇଁ ସ୍ଥିର କରାଯାଉଛି।

Share