ନିଜ ରେକର୍ଡ ଭାଙ୍ଗିଲା ଦୂରଦର୍ଶନ: ପୁଣିଥରେ ହେଲା ନମ୍ବର ୧

ନୂଆଦିଲ୍ଲୀ,୧୮।୪: କିଛିଦିନ ହେବ ଲୋକେ ବିଭିନ୍ନ ଘରୋଇ ଚ୍ୟାନେଲ ଆଡକୁ ମୁହାଁଇଥିବା ବେଳେ ଏବେ ପୁଣିଥରେ ଦର୍ଶକେ ଦୂରଦର୍ଶନକୁ ଆପଣାର କରି ନେଇଛନ୍ତି। ଏବେ ଦୂରଦର୍ଶନ ନିଜ ରେକର୍ଡକୁ ଭାଙ୍ଗିଛି ବୋଲି କୁହାଯାଉଛି। କରୋନା ଭଇରସ ଯୋଗୁ ଲକ୍‌ଡାଉନ ଥିବାରୁ ପ୍ରାୟ ସମସ୍ତ ଘରୋଇ ଚ୍ୟାନେଲର ଶୁଟିଂ ବନ୍ଦ ହୋଇଯାଇଛି। ଆଉ ଏହି ସମୟରେ ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିଛି ଦୂରଦର୍ଶନ। ଏହାର ବଡ କାରଣ ହେଲା ପୁଣିଥରେ ଦୂରଦର୍ଶନ ପ୍ରସାର କରିଛି ‘ରାମାୟଣ’ ଓ ‘ମହାଭାରତ’। ପୁରୁଣା ହେଲେ ମଧ୍ୟ ଦର୍ଶକେ ଆଜିବି ଏହି ଧାରାବାହିକ ଦେଖିବାକୁ ଆଗ୍ରହ ରଖିଛନ୍ତି। ପ୍ରସାର ଭାରତି ଦ୍ୱାରା ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି କି ପୁଣିଥରେ ଟିଆର୍‌ପି ରେସ୍‌ରେ ସବୁଠାରୁ ଆଗରେ ରହିଛି ଦୂରଦର୍ଶନ। ଏକ ଫଟୋ ଶେୟାର କରି ପ୍ରସାର ଭାରତି କହିଛି ୧୩ତମ ସପ୍ତାହରେ ଦୂରଦର୍ଶନର ଭିୟୋରସିଶ୍‌ ଥିଲା ୧.୫ ବିଲିୟନ ଆଉ ୧୪ ତମ ସପ୍ତାହରେ ଏହା ୧.୯ ବିଲିୟନ ରହିଛି। ତେବେ ଲକ୍‌ଡାଉନ୍‌ ସମୟରେ ପୁରୁଣା ଧାରାବାହିକକୁ ପ୍ରସାରଣ କରିବାକୁ ଦୂରଦର୍ଶନ ଯେଉଁ ନିଷ୍ପତ୍ତି ନେଇଥିଲା ତାହା ଠିକ୍‌ ଥିଲା ବୋଲି କୁହାଯାଉଛି। ପ୍ରସାର ଭାରତିର ଏହି ଟୁଇଟ୍‌କୁ ନେଇ ଦର୍ଶକେ ସେମାନଙ୍କ ରିଆକସନ୍‌ ମଧ୍ୟ ଦେଉଛନ୍ତି। କେହି କେହି କହିଛନ୍ତି ‘ଶ୍ରୀକୃଷ୍ଣା’ ଧାରାବାହିକକୁ ବି ପୁଣିଥରେ ପ୍ରସାରଣ କରାଯାଉ। ଆଉ କେହି କେହି ରାମାୟଣ ମହାଭାରତ ଭଳି ଧାରାବାହିକ ପ୍ରସାରଣ କରିଥିବାରୁ ଦୂରଦର୍ଶନକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

Share