Categories: ଖେଳ

ନିଜ ରେକର୍ଡ ଭାଙ୍ଗିଲେ ଆନସ, ହିମାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୪।୭ (ପି.ଟି.)- ଭାରତୀୟ ଧାବକ ମହମ୍ମଦ ଆନସ ଚେକ୍‌ ରିପବ୍ଲିକର କ୍ଲାଡନୋଠାରେ ଅନୁଷ୍ଠିତ କ୍ଲାଡନୋ ମେମୋରିଆଲ ଆଥ୍‌ଲେଟିକ ମିଟ୍‌ର ପୁରୁଷ ୪୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଦୂରତାକୁ ଆନସ ୪୫.୨୧ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଏଥିସହ ନିଜ ନାମରେ ରହିଥିବା ଜାତୀୟ ରେକର୍ଡକୁ ଭଙ୍ଗ କରିଛନ୍ତି। ପୂର୍ବରୁ ଗତବର୍ଷ ଅନୁଷ୍ଠିତ ଏକ ପ୍ରତିଯୋଗିତାରେ ୨୪ ବର୍ଷୀୟ ଆନସ ୪୦୦ ମିଟର ଦୂରତାକୁ ୪୫.୨୪ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡର ଅଧିକାରୀ ହୋଇଥିଲେ।
ମହିଳା ୨୦୦ ମିଟର ରେସ୍‌ରେ ହିମା ଦାସ ବାଜିମାତ୍‌ କରିନେଇଛନ୍ତି। ହିମା ୨୩.୪୩ ସେକେଣ୍ଡ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ଗତ ୨ ସପ୍ତାହ ମଧ୍ୟରେ ହିମାଙ୍କ ଏହା ୩ୟ ସ୍ବର୍ଣ୍ଣ ପଦକ। ଏଥିପୂର୍ବରୁ ଆସାମର ଏହି ଧାବିକା ପୋଲାଣ୍ଡରେ ଜୁଲାଇ ୨ରେ ଅନୁଷ୍ଠିତ ପୋଜନାନ ଆଥ୍‌ଲେଟିକ୍ସ ଗ୍ରଁାପ୍ରିରେ ୨୩.୬୫ ସେକେଣ୍ଡ ନେଇ ପୋଡିୟମ ଶୀର୍ଷରେ ରହିଥିଲେ। ସେହିଭଳି ଗତ ରବିବାର ପୋଲାଣ୍ଡରେ ଅନୁଷ୍ଠିତ କୁଣ୍ଟନୋ ଆଥ୍‌ଲେଟିକ ମିଟ୍‌ରେ ମଧ୍ୟ ସେ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

Share