ନିଦରୁ ଉଠିଲେ ମହାପ୍ରଭୁ, ଆରମ୍ଭ ହେଲା ଶୁଭକାଳ

ପୁରୀ ଅଫିସ, ୯ା୧୧: ରଥଯାତ୍ରା ପରେ ହରିଶୟନ ଏକାଦଶୀରେ ନିଦ୍ରା ଯାଇଥିଲେ ମହାପ୍ରଭୁ। ଚାରି ମାସ ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ମହାପ୍ରଭୁ ନିଦରୁ ଉଠିଛନ୍ତି। ଏହି କାର୍ତ୍ତିକ ଶୁକ୍ଳ ଏକାଦଶୀକୁ ହରି ଉତ୍‌ଥାପନ ଏକାଦଶୀ କୁହାଯାଏ। ଶ୍ରୀମନ୍ଦିରରେ ଶୁକ୍ରବାର ହରି ଉତ୍‌ଥାପନ ନୀତି ସମ୍ପନ୍ନ ହୋଇଛି। ଠାକୁରଙ୍କ ଏହି ଶୟନ ଚାରିମାସକୁ ଚତୁର୍ମାସ୍ୟା ବୋଲି କୁହାଯାଏ। ଏହି ସମୟରେ ଶୁଭ କାର୍ଯ୍ୟ କରାଯାଏ ନାହିଁ। ମହାପ୍ରଭୁ ନିଦରୁ ଉଠିବା ପରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଶୁଭ କାଳ ଓ ଶୁଭ କର୍ମ। ମହାପ୍ରଭୁଙ୍କ ପ୍ରତିନିଧି ଭାବେ ଶ୍ରୀନାରାୟଣ, ବଳଭଦ୍ରଙ୍କ ପ୍ରତିନିଧି ଶ୍ରୀବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ପ୍ରତିନିଧି ଭାବେ ମା’ ଭୁବନେଶ୍ୱରୀ ଶୟନ ଯାଇଥିଲେ।
ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ହରି ଉତ୍‌ଥାପନ ଏକାଦଶୀ ଅନ୍ୟତମ। ଶ୍ରୀମନ୍ଦିରରେ ବଡ଼ସିଂହାର ଭୋଗ ସରି ହରି ଉତ୍‌ଥାପନ ନୀତି ଆରମ୍ଭ ହୋଇଥିଲା। ରତ୍ନସିଂହାସନ ତଳେ ମହାସ୍ନାନ ପୂଜା ଠା ପରେ ମୁଦିରସ୍ତ ଓ ପଣ୍ଡା ୩ ଜଣ ଖଟଶେଯ ଘର ଉପରକୁ ଯାଇ ତଡାଉ ଶୟନ ପେଡି ମୁଦ ଭାଙ୍ଗିଥିଲେ। ମୁଦିରସ୍ତ ଶୟନ ପେଡି ଖୋଲି କର୍ପୂର, ଆଳତି, ଅଞ୍ଜଳି କରାଇ ୩ଟି ରୁପା ଥାଳିରେ ୩ ଦିଅଁକୁ ବିଜେ କରାଇ ପଣ୍ଡାଙ୍କୁ ସମର୍ପଣ କରିଥିଲେ। ପୂଜାପଣ୍ଡାମାନେ ତିନିଠାକୁରଙ୍କୁ ଖଟୁଲିରେ ବିଜେ କରାଇ ମହାସ୍ନାନ କରାଇଥିଲେ। ମହାସ୍ନାନ ପରେ ଠାକୁରମାନେ ସିଂହାସନକୁ ବିଜେ ହୋଇଥିଲେ। ପରେ ତିନିଠାକୁରଙ୍କ ସର୍ବାଙ୍ଗ ଲାଗି, ନୂଆ ଲୁଗା, ମାଳ ଫୁଲ ଲାଗି ହେବା ସହ ୬ ମୂର୍ତ୍ତି ଅଳଙ୍କାର ବେଶ ହୋଇଥିଲେ। ବଲ୍ଲଭ ବଡସିଂହାର ଭୋଗ ପଟୁଆରରେ ଆସିଥିଲା। ପୂଜାପଣ୍ଡା ସେବକ ଷୋଡ଼ଶ ଉପଚାରରେ ମଣୋହି କରିଥିଲେ। ପରେ ଠାକୁରମାନେ ଶୟନ ଘରକୁ ବିଜେ କରିଥିଲେ।

Share