ନିଦ ଔଷଧ ଖାଉଛନ୍ତି କି? ହୋଇଯାନ୍ତୁ ସାବଧାନ

ନିଦ ଔଷଧ ସେବନକାରୀଙ୍କୁ ଏଣିକି ସତର୍କ ରହିବାକୁ ପଡ଼ିବ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁମାନେ ନିଦ ହେବାକୁ ପାୱାର୍‌ଫୁଲ୍‌ ଔଷଧ ସେବନ କରୁଛନ୍ତି, ସେମାନଙ୍କଠାରେ ଆଲଝେମିୟର୍‌ ଆଶଙ୍କା ଅନେକ ଗୁଣ ବଢ଼ିଯାଏ। ଗବେଷକଙ୍କ ଅନୁସାରେ, ଯେଉଁମାନେ ନିଦ ହେବାକୁ ସାମାନ୍ୟ ମାତ୍ରାଠୁ ଉଚ୍ଚ ମାତ୍ରାର ଔଷଧ ସେବନ କରନ୍ତି, ସେମାନଙ୍କ ମସ୍ତିଷ୍କ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ମସ୍ତିଷ୍କର କାର୍ଯ୍ୟପ୍ରଣାଳୀରେ ବାଧା ସୃଷ୍ଟି ହୁଏ। ଯଦ୍ଦ୍ବାରା ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହୋଇଥାଏ। ୟୁନିଭରସିଟି ଅଫ୍‌ ଇଷ୍ଟର୍ଣ୍ଣ ଫିନ୍‌ଲ୍ୟାଣ୍ଡ୍‌ରେ ହୋଇଥିବା ଏହି ଗବେଷଣାରେ ବ୍ରିଟେନ୍‌ ଏବଂ ଆମେରିକାର ଲୋକମାନେ ସାମିଲ ଥିଲେ। ଗବେଷକ ଦାବି କରିଛନ୍ତି, ବ୍ରିଟେନ୍‌ର ୨୬,୦୦,୦ ଲୋକ ଏବଂ ଆମେରିକାର ୧୦ କୋଟି ଲୋକ ବେଞ୍ଜୋସ୍‌ ଏବଂ ଜେଡ୍‌ ଡ୍ରଗ୍‌ ମାସକୁ ଅତିକମ୍‌ରେ ଥରେ ସେବନ କରିଥାନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ ଅନେକ ଅଛନ୍ତି, ଯେଉଁମାନେ ଏହି ଔଷଧକୁ ମାସକୁ ଚାରିଥର ସେବନ କରିବାରେ ଅଭ୍ୟସ୍ତ। ଏହି ଔଷଧର ବ୍ୟବହାର ଦ୍ୱାରା ମସ୍ତିଷ୍କର ସକ୍ରିୟତା ହ୍ରାସ ପାଇଥାଏ। ଏହା ଧୀରେ ଧୀରେ ଆଲ୍‌ଝେମିୟର୍‌ ଭଳି ରୋଗର ସୃଷ୍ଟି କରିଥାଏ। ତେଣୁ ଏଭଳି ଔଷଧ ସେବନ ପୂର୍ବରୁ ଡାକ୍ତରୀ ପରାମର୍ଶ ଜରୁରୀ। ମାତ୍ରା କମ୍‌ ରହିବା ମଧ୍ୟ ଠିକ୍‌ ହେବ। ଯଦିଓ ଏହି ଔଷଧ ଅନିଦ୍ରା ଏବଂ ଅବସାଦରୁ ମୁକ୍ତି ଦେଇଥାଏ, କିନ୍ତୁ ଏହାର କୁପ୍ରଭାବ ଅସମୟରେ ମୃତ୍ୟୁକୁ ଡାକିଆଣିପାରେ।