ନିଦ ହଜାଇଛି ଦନ୍ତା: ବନ ବିଭାଗ ନାକେଦମ

ତେଲକୋଇ, ୮।୧(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ ଅନ୍ତର୍ଗତ ଭୀମକାଣ୍ଡ, ଆକୁଳ, ସିରିଗିଡା, ବିମଳା ଓ ରାଇସୁଆଁ ଆଦି ପଞ୍ଚାୟତ ଗୁଡିକରେ ବଣୁଆ ହାତୀଙ୍କର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ା ଫଳରେ ବନ ବିଭାଗର ସ୍ବତନ୍ତ୍ର ଭାବେ ହାତୀ ଘଉଡାଇବା ପାଇଁ ଟିମ ଗଠନ କରାଯାଇଛି ା ହାତୀ ପଲଙ୍କର ଲୁଚକାଳି ଖେଳରେ ବିଭାଗ ସହିତ ଟିମ ନାକେଦମ ହେଉଥିବା ଜଣା ପଡିଛି ା ପ୍ରକାଶ ଯେ, ରବିବାର ରାତି ଅକୁଳ ପଞ୍ଚାୟତ ବନବିହାରୀପୁର ଗ୍ରାମରେ ୭ଟିକିଆ ହାତୀ ପଲ ଆସି ଘରଦ୍ୱାର ଭାଙ୍ଗି ଧାନ ଖାଇବା ସହିତ ବ୍ୟାପକ ପନିପରିବା ନଷ୍ଟ କରିଛନ୍ତି। ସେହିପରି ସୋମବାର ରାତିରେ ଭୀମକାଣ୍ଡ ଗ୍ରାମରେ ଗୋଟିଏ ଦନ୍ତା ପଶି ଭ୍ରମର ପ୍ରଧାନଙ୍କ ପାଚେରୀ, କୃଷ୍ଣ ପ୍ରଧାନଙ୍କ ଧାନ ବସ୍ତା ଓ ଅନ୍ତ ପ୍ରଧାନଙ୍କ କଦଳୀ ଏବଂ ନଡିଆ ବଗିଚାକୁ ମାଡି ଦଳି ନଷ୍ଟ କରିଥିବା ବନ ବିଭାଗ ପାଖରେ ଅଭିଯୋଗ ହୋଇଛି। ଏଠାରେ ଉଲ୍ଲେଖନୀୟ ଯେ, ଉକ୍ତ ଦୁଇ ତିନି ପଞ୍ଚାୟତ ଗୁଡିକରେ ଦନ୍ତାର ଲୁଚକାଳି ଖେଳକୁ ନେଇ ବନ ବିଭାଗ ନାକେଦମ ହୋଇଥିବା ଜଣାପଡିଛି। ହାତୀ ମାନଙ୍କର ଦୈନନ୍ଦିନ ଚଲାପଥରେ ବିଭାଗ ପକ୍ଷରୁ ସୂଚନା ଥିଲେ ମଧ୍ୟ ସେମାନେ ଅଣାୟତ ହେଉଛନ୍ତି। ଫଳରେ ବିଭିନ୍ନ ପଞ୍ଚାୟତ ଗୁଡିକରେ ରହିଥିବା ବସ୍ତି ବାସୀନ୍ଦାଙ୍କ ନିଦ ହଜି ଯାଇଛି। ଏ ସମ୍ପର୍କରେ ଫରେଷ୍ଟର ଅନିରୁଦ୍ଧ ପଣ୍ଡାଙ୍କୁ ପଚାରିବାରୁ ହାତୀ ସ୍କ୍ବାଡ ଦ୍ୱାରା ହାତୀମାନଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରହିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।