Categories: ଜାତୀୟ

ନିପା ଭାଇରସ୍‌ ଆତଙ୍କ: କେରଳରେ ୬ଜଣିଆ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୫।୬: କେରଳରେ ନିପା ଭାଇରସ୍‌ ଆତଙ୍କ ଖେଳାଇଛି। ଜଣେ କଲେଜ୍‌ ଛାତ୍ର(୨୩) ମଙ୍ଗଳବାର ଏଥିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ୮୬ ଜଣଙ୍କୁ ନିରୀକ୍ଷଣ କରାଯାଉଥିବା ଜଣାପଡ଼ିଛି। ଗତବର୍ଷ ମେ ମାସରେ ଏହି ଜୀବନ ନାଶକାରୀ ଭାଇରସ୍‌ କେରଳରୁ ୧୭ ଜଣଙ୍କ ଜୀବନ ନେଇଥିଲା। ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧର୍ର୍ନ ମଙ୍ଗଳବାର କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜାଙ୍କ ସହ ଆଲୋଚନା କରିଛନ୍ତି। ସାମ୍ପ୍ରତିକ ସ୍ଥିତି ନେଇ କଥାବାର୍ତ୍ତା ହୋଇଥିବାବେଳେ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ୬ଜଣିଆ କେନ୍ଦ୍ରୀୟ ଟିମ୍‌ କେରଳ ପଠାଯାଇଛି। ସେଠାରେ ସେମାନେ ପରୀକ୍ଷା ନିରୀକ୍ଷା କରିବେ। ଏନେଇ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଥିବା ସେ କହିଛନ୍ତି। ସରକାର ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଶୈଳଜା କହିଛନ୍ତି ଯେ, ଏର୍ନାକୁଲମ୍‌ ଜିଲାର ନିପା ପୀଡ଼ିତ କଲେଜ ଛାତ୍ର ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଭଲ ଅଛନ୍ତି। ତେବେ କେତେକ ଜ୍ୱରରେ ପଡ଼ି ଅସୁସ୍ଥ ଥିବାବେଳେ ସେମାନଙ୍କ ପରୀକ୍ଷା ଚାଲିଥିବା ସେ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ଟିମ୍‌ର ଚିକିତ୍ସା ସହ ସ୍ଥିତି ସମୀକ୍ଷା ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଭରଯୋଗ୍ୟ ସହଯୋଗ ମନୋଭାବ ପରିସ୍ଥିିତି ଉନ୍ନତି ଆଣିବ ବୋଲି କୁହାଯାଉଛି।

Share