Categories: ବାଣିଜ୍ୟ

ନିବେଶକଙ୍କୁ ୧୪.୨୨ ଲକ୍ଷ କୋଟି କ୍ଷତି

 

ନୂଆଦିଲ୍ଲୀ,୨୪-୩: କରୋନା ପ୍ରଭାବରେ ଭାରତୀୟ ପୁଞ୍ଜି ବଜାର କାରବାର ଲଗାତାର ଭାବେ ଖସୁଥିବା ବେଳେ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ନିବେଶକଙ୍କୁ ରେକର୍ଡ ସ୍ତର ୧୪.୨୨ ଲକ୍ଷ କୋଟି କ୍ଷତି ହୋଇଛି। କରୋନା ଯୋଗୁ ଷ୍ଟକ ବଜାରକୁ ଝଟକା ଲାଗିବା ଫଳରେ ସେନ୍‌ସେକ୍ସ ୧୩.୧୫% ଖସିଯାଇଛି। ଏହା ଫଳରେ ନିବେଶକଙ୍କୁ ପ୍ରଥମ ଘଣ୍ଟା ଟ୍ରେଡରେ ୧୦ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି। କରୋନାର ପ୍ରଭାବ ଭାରତୀୟ ବଜାର ଉପରେ ବଢି ଚାଲିଥିବା ଯୋଗୁ ଏହା ଫଳରେ ନିବେଶକଙ୍କ ମନୋଭାବ କ୍ଷତିଗ୍ରସ୍ତ ହୋଇଛି। ବିଏସ୍‌ଇର ସୂଚୀଭୁକ୍ତ କମ୍ପାନୀଗୁଡିକ ବଜାର ପୁଞ୍ଜୀକରଣ ୧୪.୨୨ ଲକ୍ଷ କୋଟି କମିଯାଇଛି। କେବଳ ୪୫ ମିନିଟ ଟ୍ରେଡିଂରେ ଏଭଳି ସାଂଘାତିକ ସ୍ଥିତି ଉପୁଜିଥିବା ଜଣାପଡିଛି। ସୋମବାର ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୩୯୩୪.୭୨ ପଏଣ୍ଟ ବା ୧୩.୧୫% ଖସିଛି। ଫଳରେ ସେନ୍‌ସେକ୍ସ କାରବାର ୨୫,୯୮୧.୨୪ପଏଣ୍ଟକୁ ଖସିଛି। ଏହାକୁ ଲୋୟର ସର୍କିଟ ଲିମିଟ ବୋଲି କୁହାଯାଉଛି। ସେହିଭଳି ନିଫ୍ଟି କାରବାର ୧,୧୩୫ ପଏଣ୍ଟ ୧୨.୯୮% ଖସିବା ଯୋଗୁ ଏହା ୭୬୧୦.୨୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
ଏହି ସମୟରେ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସର ଶେୟାର କାରବାର ଅତ୍ୟଧିକ କ୍ଷତି ହୋଇଛି। ସେହିଭଳି ସମସ୍ତ ସେକ୍ଟରାଲ ସୂଚୀଗୁଡିକର କାରବାର ମଧ୍ୟ କ୍ଷତି ସହିଛନ୍ତି। ଏହି ବର୍ଗରେ ବ୍ୟାଙ୍କ, ରିୟଲିଟି ଏବଂ ଫାଇନାନ୍ସ ରହିଛନ୍ତି। ଏହି ସମୟରେ ଆର୍‌ଆଇଏଲ୍‌ କାରବାର ୧୧.୫୭% ଖସିଥିବା ବେଳେ ଟିସିଏସ୍‌ କାରବାର ୫.୮୪% ଖସି ଯାଇଛି। ଦିନ ମଧ୍ୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୦ଟଙ୍କା ଖସି ୭୬.୧୦ ଟଙ୍କା ଛୁଇଁଥିଲା। କେବଳ ଭାରତୀୟ ବଜାର ନୁହେଁ ବିଶ୍ୱ ସ୍ତରର ଶେୟାର ବଜାରଗୁଡିକ ମଧ୍ୟ କରୋନା ଲାଗି କାରବାର ଗଭୀର କ୍ଷତିଗ୍ରସ୍ତ ହୋଇଛି। ବିଶ୍ୱ ସ୍ତରରେ ବିଭିନ୍ନ ଦେଶ ମଧ୍ୟ ଲକ୍‌ଡାଉନ ଘୋଷଣା କରିଛନ୍ତି। ଚାଇନା, ହଂକଂ ଏବଂ ଦକ୍ଷିଣ କୋରିଆର ଶେୟାର ବଜାର କାରବାର ୫% ଖସିଛି। ଏହାବାଦ ଜାପାନ ଶେୟାର ବଜାର କାରବାର ସକରାତ୍ମକ ରହିଥିବା ବେଳେ ୟୁରୋପ ବଜାରର କାରବାର ୪% ଖସି ଯାଇଛି। ଏହି ସମୟରେ ବ୍ରେଣ୍ଟ କ୍ରୁଡ ପ୍ରାୟ ୫.୩୦% ଖସିଥିବା ବେଳେ ଏହା ବ୍ୟାରେଲ ପିଛା ୨୫.୫୫ ଡଲାର ରହିଛି।

Share